ଭୁବନେଶ୍ୱର: ସାଇକେଲରେ ଅଫିସ ଆସିଲେ ବିଏମସି କମିଶନର । ଗେଟ ପାଖରେ ସାଇକେଲ ଧରି କାର୍ଯ୍ୟଳୟ ଭିତରକୁ ପ୍ରବେଶ କଲେ । କେବଳ କମିଶନର ନୁହଁନ୍ତି ବରଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାଇକେଲରେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି । ଏହା ସହ ଅନେକ ଅଧିକାରୀ ଓ କର୍ମଚାରୀମାନେ ଚାଲିଚାଲି ଅଫିସ ଆସିଛନ୍ତି ।
ଭୁବନେଶ୍ୱରରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଶୁକ୍ରବାର ସାଇକେଲରେ ଅଫିସ୍ ଆସିବା ପାଇଁ ବିଏମସି ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଆଜି ପାଳନ କରାଗଲା । ବିଏମସି, ବିଡିଏ ଓ ସ୍ମାର୍ଟ ସିଟି ଲିମିଟେଡର କର୍ମଚାରୀ ଓ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସାଇକେଲ ଚଲାଇବା ଦ୍ୱାରା ଶରୀର ସହ ପରିବେଶ ସୁସ୍ଥ ରହିବ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି । ଆଗାମି ସମୟରେ ସବୁ ବିଭାଗରେ ଏହାକୁ ଲାଗୁ କରାଯିବ ବୋଲି ଯୋଜନା କରାଯାଉଛି । ଏହା ସହ ଜନସାଧାରଣଙ୍କୁ ସାଇକେଲ ଓ ସାର୍ବଜନୀନ ପରିବହନର ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି ବିଏମସି କମିଶନର ।
ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହା ପୂର୍ବରୁ ଅନେକ ପଦକ୍ଷେପ ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ମୋ ସାଇକେଲର ଉଦଘାଟନ କରିଥିଲେ । ହେଲେ ଏବେ ଏହା ବାଟବଣା ହୋଇଛି ।
ଅନେକ ଟ୍ରାକରେ ସାଇକେଲ ରହୁନଥିବା ବେଳେ ମନଇଚ୍ଛା ଲୋକେ ସାଇକେଲକୁ ଏଣେ ତେଣେ ରଖୁଛନ୍ତି । ଖାଲି ମୋ ସାଇକେଲ ନୁହେଁ ବରଂ ରାହାଗିରି ପାଇଁ ଅଣାଯାଇଥିବା ସାଇକେଲ ଏବେ ବିଏମସିରେ ଖତ ଖାଉଛି । ତାହାକୁ ବିଭିନ୍ନ କ୍ଲବରେ ବଣ୍ଟାଯିବା ସହ ଏହାର ପୂନର୍ବାର ବ୍ୟବହାର କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।
ରାଜ୍ୟରେ ଭୁବନେଶ୍ୱର ସହର ବାୟୁ ପ୍ରଦୂଷଣ ସହର ସୂଚିର ଶୀର୍ଷରେ ରହିଛି । ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଆଗାମି ପଦକ୍ଷେପ କ’ଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।
