କୁକୁର ସଉକିଆ ଲୋକେ ଘରେ କୁକୁର ପୋଷିବାକୁ ଏଣିକି ଡରିବେ। କାରଣ ବାର୍ଷିକ ୫ଶହ ପଞ୍ଜିକରଣ ବାବଦ ଅର୍ଥ ହୁଏତ ସାଧାରଣ ଲାଗୁଥାଇପାରେ। କିନ୍ତୁ କୁକୁର ବୁଲେଇ ୧୦ ହଜାର ଟଙ୍କା ଗଣିବାକୁ ସମସ୍ତଙ୍କ ମନରେ ଭୟ ରହିବ। ଏହା ପ୍ରତିକାର ବାବଦରେ କେହି କେବେ ନିଜ ଘରେ ପୋଷା କୁକୁର ପାଇଁ ସ୍ବତନ୍ତ୍ର ପାଇଖାନା ବ୍ୟବସ୍ଥା କରିବେ ତାହା ମଧ୍ୟ ଭାବିବା ହାସ୍ୟାସ୍ପଦ। ଏଣୁ ତଣ୍ଡର ପରିମାଣ କମାଇବାକୁ ମଧ୍ୟ କିଛି ସ୍ତରରେ ଦାବି ହେଉଛି।
ମହାନଗର ନିଗମ ଆଇନ୍ ର ଭାଗ ୪୦୯ ଏବଂ ୫୪୩ ବି’ ଅନୁଯାୟୀ ବିଭିନ୍ନ ନିୟମ ମାନିବାକୁ ପଡିବ। ସହରରେ କୁକୁର କାମୁଡିବା ଘଟଣା ବୃଦ୍ଧି ପାଇବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗବାଳ ଦିନ ସ୍ୱତନ୍ତ୍ର ବୈଠକ ବସିଥିଲା। ବୈଠକରେ ଡଗ୍ ରୁଲ୍ କୁ ସର୍ବସମ୍ମତି କ୍ରମେ ପାସ୍ କରାଯାଇଛି। ଆସନ୍ତା କର୍ପୋରେଶନ ବୈଠକରେ ଏହାକୁ ବିଧିବଦ୍ଧ ଭାବେ ମଞ୍ଜୁରୀ ମିଳିବ।
ଗାଇଡ୍ ଲାଇନ୍ ଅନୁସାରେ ୪ ମାସରୁ ଉର୍ଦ୍ଧ୍ୱ ବୟସର କୁକୁର ରଖିବା ପାଇଁ ହେଲେ ପଞ୍ଜୀକରଣ ସହିତ ପଶୁଡାକ୍ତରଙ୍କଠାରୁ ଟୀକାକରଣ ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ। କୁକୁରଙ୍କ ରେଜିଷ୍ଟ୍ରେଶନ ପାଇଁ ଦେବାକୁ ପଡିବ ୫ଶହ ଟଙ୍କା। ଯେଉଁମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ ଏବଂ ଡଗ୍ ଶୋ ରେ ସାମିଲ କରାଇବେ ସେମାନଙ୍କୁ ବିଏମସିଠାରୁ ଗେମ୍ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ନେବାକୁ ପଡିବ। ଏଥପାଇଁ ସେମାନଙ୍କୁ ପ୍ରତି କୁକୁର ପିଛା ୨ଶହ ଟଙ୍କା ଦେବାକୁ ପଡିବ। କୁକୁର ମାଲିକ ଏହି ନିୟମକୁ ଉଲ୍ଲଙ୍ଘନ କଲେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।