
ସମ୍ୱଲପୁର: ଘର ଭିତରୁ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ସେ ପୁଣି ସଙ୍ଗରୋଧ କେନ୍ଦ୍ରରୁ ଫେରି ଘରେ ସଙ୍ଗରୋଧରେ ୪ ଦିନ ଥିବାବେଳେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ନାମ ପଲ୍ଲବୀ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବକ୍ସମା ଗ୍ରାମରେ । ସୂଚନାନୁସାରେ, ଏହି ଗ୍ରାମର ପାପୁନ ପଶାୟତ ୫ ବର୍ଷ ପୂର୍ବେ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ସେଠାରେ ପଲ୍ଲବୀ ନାମକ ଯୁବତୀକୁ ପ୍ରେମ ବିବାହ କରିଥିଲେ ।ତେବେ ଅନେକ ସମୟରେ ସେମାନେ କୁଚିଣ୍ଡା ଆସି ରହୁଥିବାବେଳେ ଗତ ୬ ମାସ ତଳେ ଘରୁ ଝଗଡା କରି ପଲ୍ଲବୀ ନିଜ ଘର ଆନ୍ଧ୍ର ଚାଲି ଯାଇଥିଲେ ।
ଏହାପରେ ତାଙ୍କର ସାଢେ ତିନି ବର୍ଷର ପୁଅଟେ ଥିବାବେଳେ ପୁଅକୁ ଦେଖିବାକୁ ପଲ୍ଲବୀ ଘରକୁ ଆସିବାକୁ ସ୍ୱାମୀଙ୍କୁ ଜଣାଇଥିଲେ । ସ୍ୱାମୀ ମଧ୍ୟ କିଛି ଦିନ ପୂର୍ବେ ରେଜିଷ୍ଟ୍ରେସନ କରାଇ ସ୍ତ୍ରୀଙ୍କୁ ଆଣି ନିକଟ ଚାନ୍ଦିନୀମାଲ ସଙ୍ଗରୋଧ କେନ୍ଦ୍ରରେ ରଖାଇଥିଲେ । ତେବେ ୧୪ ଦିନ ରହିଲା ପରେ ଘରେ ୭ ଦିନ ପାଇଁ ରହିଥିବାବେଳେ ଆଜି ୪ର୍ଥ ଦିନରେ ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ତେବେ ପଲ୍ଲବୀଙ୍କର ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ପୋଲିସ ପହଞ୍ଚି ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।
