କୋରପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ଆଦିବାସୀ ପରମ୍ପରା ବହନ କରୁଥିବା ଐତିହାସିକ ବାଲିଯାତ୍ରା ଧୁମଧାମରେ ପାଳନ କରାଯାଇଛି। ପ୍ରତି ୩ ବର୍ଷରେ ଥରେ ପାଳିତ ହୋଇଥାଏ ଆଦିବାସୀ ପରମ୍ପରା ଐତିହାସିକ ବାଲିଯାତ୍ରା। ଆଉ ଚଳିତ ବର୍ଷ ବାଲିଯାତ୍ରା ବୋରିଗୁମ୍ମା ବାସୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଥିଲା। ପାରମ୍ପରିକ ରୀତିନୀତିରେ ବାଜା ବଜଣା ନାଚଗୀତ ସାଙ୍ଗକୁ ହଜାର ହଜାର ଲୋକଙ୍କ ସମାବେଶରେ ପୁରୁଣା ବୋରିଗୁମ୍ମା ଠାରେ ଥିବା ବାଲି କୁଡ଼ିଆ ରୁ ବାଲି ଚାଙ୍ଗୁଡ଼ିରେ ଗଜା ଶସ୍ୟକୁ ଶହ ଶହ ମହିଳା ନିଜ ନିଜ ମୁଣ୍ଡରେ ବୋହିଥିବା ବେଳେ ପୁରୁଷ ଲୋକ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଦାଳକୁ ବୋହି ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଥିଲେ। ଆଉ ଏହି ଶୋଭାଯାତ୍ରାରେ ପିଲା ଠାରୁ ଆରମ୍ଭ କରି ଯୁବକ, ଯୁବତୀ, ବୃଦ୍ଧା ଏବଂ ବୃଦ୍ଧ ସମସ୍ତ ବାଜା ବାଜଣା ଆଦିବାସୀ ପାରମ୍ପରିକ ନୃତ୍ୟ ସହ ସ୍ଥାନୀୟ ହାଟପଦା ନିକଟ ରେ ଥିବା ଠାକୁରାଣୀ ପୀଠରେ ବାଲି ଫୁଲ ରଖାଯାଇ ପୂଜାର୍ଚ୍ଚନା ପରେ ଭୀମା ଏବଂ ଭୀମାଣି କାଠ ମୂର୍ତ୍ତି ସ୍ଥାପନ କରାଯାଇଥାଏ। ସେପଟେ ଏହି ଐତିହାସିକ ବାଲିଯାତ୍ରାରେ ଜୟପୁର ନିର୍ବାଚନ ମଣ୍ଡଳୀର ତିନି ପ୍ରତିଦ୍ବନ୍ଦ୍ବୀ ବିଧାୟକ ତାରାପ୍ରସାଦ ବାହିନୀ ପତି, ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝୀ,ଏବଂ ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ପ୍ରମୁଖ ସାମିଲ ହୋଇ ଯାତ୍ରା ର ମଜା ନେବା ସଙ୍ଗେ ବୋରିଗୁମ୍ମା ବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ଯୋଗୁଁ ଆଇନ ଶୃଙ୍ଖଳ ପ୍ରତି ପୋଲିସ ସଜାଗ ରହିଥିବା ଦେଖିବାକୁ ମିଳିଥିଲା।
ବୋରିଗୁମ୍ମା ଠାରେ ଐତିହାସିକ ବାଲିଯାତ୍ରା କେଉଁ ରାଜାରାଜୁଡ଼ା କାଳରୁ ଆରମ୍ଭ ହୋଇଥିଲା।ଗ୍ରାମର ମୁଖ୍ୟ ପୂଜକ ତିଥି ଅନୁଯାୟୀ ଦିନ ଧାର୍ଯ୍ୟ କରିଥାନ୍ତି। ଠିକ୍ ସାତ ଦିନ ପୂର୍ବରୁ ଗ୍ରାମର ଆରାଧ୍ୟ ଦେବ ଭୈରବ ପୀଠ ନିକଟସ୍ଥ ନଦୀରୁ ପୂଜାର୍ଚ୍ଚନା କରି ବାଲି ଉଠାଇ ଆଣିଥାନ୍ତି। ସେହି ବାଲିରେ ଶସ୍ୟଜାତ ଦ୍ରବ୍ୟ ଯଥା ଗହମ, ମାଣ୍ଡିଆ, ଧାନ, ମୁଗ, ବିରି ଆଦି ବୁଣା ଯାଏ। ଯେଉଁ ଦିନ ସେହି ଦ୍ରବ୍ୟରୁ ଅଙ୍କୁର ଜାତ ହୁଏ ସେଦିନ ବାଲି ଯାତ୍ରା ଆରମ୍ଭ ହୁଏ। ପୂର୍ବପୁରୁଷ ମାନଙ୍କ ମନରେ ଏକ ବିଶ୍ୱାସ ଥିଲା ଏହି ପୂଜା କଲେ ଗାଈ ଗୋରୁ, ଲୋକଙ୍କୁ କୌଣସି ରୋଗ ମହାମାରୀ ଆକ୍ରାନ୍ତ ହୋଇନଥାଏ ଏବଂ ଭଲ ବର୍ଷା ହୋଇ ଚାଷଫସଲ ଦୁଇଗୁଣ ହୁଏ। ସେଇ ବିଶ୍ୱାସ କୁ ନେଇ ଆଜି ବି ଜୀବିତ ହୋଇରହି ଆସିଛି ଏହି ପରମ୍ପରାର ପର୍ବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।