ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରତାପୁର ନିକଟସ୍ଥ ଏକ ପରିତ୍ୟକ୍ତ ନାସମିଲରୁ ସ୍ଥାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରେମିକାଙ୍କୁ ଉଦ୍ଧାର କରାଯାଇଛି।
କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚିଥିଲେ। ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରେମିକାଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶରୀରର 60 ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିବା ସୂଚନା ମିଳିଛି।
ଯୁବତୀ ଜଣକ ହେଲେ ପୋଲସରା କଳମ୍ବ ଗ୍ରାମର ମଧୁସ୍ମିତା(ଛଦ୍ମନାମ)। ଘଟଣାରେ ଜଣେ ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଯୁବତୀଙ୍କୁ ସ୍ଥାନାନ୍ତର କରାଯାଇଛି।
ସୂଚନାମୁତାବକ, ପ୍ରତାପୁରର କୃଷ୍ଣଚନ୍ଦ୍ର ସାହୁ ନାମକ ଜଣେ ଯୁବକ, ମଧୁସ୍ମିତା(ଛଦ୍ମନାମ)ଙ୍କୁ ଭଲପାଉଥିଲେ। ଯୁବତୀ ଜଣଙ୍କ ବାହାହେବାକୁ କହିଥିଲେ। କିନ୍ତୁ ଯୁବକ ଜଣକ ବାହା ହେବାକୁ ମନା କରିଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ଯୁକ୍ତିତର୍କ ହୋଇଥିବା ଅନୁମାନ କରାଯାଉଛି। ଆଉ ପରେ ଯୁବକ ଜଣକ ଯୁବତୀଙ୍କ ଦେହରେ ସ୍ପିରିଟ ପକାଇ ନିଆଁ ଲଗାଇଦେଇଥିବା ଜଣା ପଡ଼ିଛି।