ଅଧିକ ପଢନ୍ତୁ ଓଡ଼ିଶା ଖବର
ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରେସ୍ ବାର୍ତା ଜରିଆରେ ଶ୍ରୀମତୀ ସାହୁ କହିଛନ୍ତି ଯେ, ଗତ ୨୦୧୮ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ପରେ ପରବର୍ତୀ ସମୟରେ ବିଜୁ ସ୍ମାର୍ଟ କାର୍ଡ ବାଂଟିଥିଲେ । ଏଥିରେ ରାଜ୍ୟର ୭୦ଲକ୍ଷ ପରିବାର ଅର୍ଥାତ୍ ୩କୋଟି ୫୦ଲକ୍ଷ ଲୋକ ଉପକୃତ ହେବେ ବୋଲି ସରକାର ଯୁକ୍ତି ବାଢିଥିଲେ । କିନ୍ତୁ ଯୋଜନାର ୫ବର୍ଷ ପରେ ସରକାରଙ୍କ ତରଫରୁ କୁହାଗଲା ଯେ, ଏପର୍ଯ୍ୟନ୍ତ ୬୦ଲକ୍ଷ ପରିବାର ଏ ଯୋଜନାରେ ଉପକୃତ ହେଉଛନ୍ତି ଓ ରାଜ୍ୟ ସରକାର ମାସକୁ ୨୦୦କୋଟି ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରୁଛନ୍ତି ବୋଲି ଯାହା ପ୍ରଚାର କରୁଛନ୍ତି ତାହା ଡାହା ମିଛ । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୨୮ଲକ୍ଷ ଓଡିଶାବାସୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେଉଥିଲେ ଏବଂ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତେଣୁ ସରକାର ମାସକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ୨୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଯୁକ୍ତି ବାଢୁଛନ୍ତି ତାହାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ।
କେତେ ରୋଗୀ, କେଉଁ କେଉଁ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ଓ ଏହା ବାବଦରେ କେଉଁ କେଉଁ ବେସରକାରୀ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି ଜିଲ୍ଲା ୱାରୀ ତଥ୍ୟ ପ୍ରଦାନ କରନ୍ତୁ । କାରଣ କିଛି ଦିନ ତଳେ ଦୁଇଟି ବେସରକାରୀ ହସ୍ପିଟାଲ କିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସେବା ପ୍ରଦାନ କରି ଜାଲି ବିଲ୍ ପୈଠ କରି ଅର୍ଥ ହଡପ କରିଥିଲେ ତାହା ମଧ୍ୟ ସାମ୍ନାକୁ ଆସିଥିଲା । ତେଣୁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ଯେ, ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ଭିତରେ ମଧୁଚନ୍ଦ୍ରିକା ରହିବା ସହିତ ଉକ୍ତ ଯୋଜନା ଦୁର୍ନୀତିର ଗନ୍ତାଘର ସାଜିଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ରାଜ୍ୟ ସରକାର ୨୦୧୮ ମସିହାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୦୮ଟି ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଧାନସଭା ତଥ୍ୟ ଅନୁଯାୟୀ ୧୮୩ଟି ବେସରକାରୀ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ ବୋଲି ଜଣାପଡିଥିଲା । ରାଜ୍ୟ ଗ୍ରାମାଂଚଳର ପ୍ରାୟ ୩୩.୪୫ପ୍ରତିଶତ, ପ୍ରାୟ ୨୫ଲକ୍ଷ ଓଡିଆ ଲୋକ ବାହାରକୁ ଯାଇ କାମଧନ୍ଦା କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆ ମାନେ ଉପକୃତ ହେଉଥିବା ବେଳେ ରାଜ୍ୟ ବାହାରେ ସେମାନଙ୍କୁ କୌଣସି ମାଗଣା ଚିକିତ୍ସା ସୁବିଧା ମିଳୁନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ସାଧାରଣ ଗରିବ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଆତ୍ମବଡିମା, ଆତ୍ମପ୍ରଚାର, ଅହଂକାର ଓ ହୀନ ରାଜନୀତି ପାଇଁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାଁନ୍ତି । ଯାହାଫଳରେ ଓଡିଶାର ଜନସାଧାରଣ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ହେବା ସହିତ ଓଡିଶା ବାହାରେ କାମ କରୁଥିବା ପ୍ରାୟ ୨୫ଲକ୍ଷ ଓଡିଆ ଏହି ଯୋଜନାର ସୁଫଳ ପାଇପାରୁନାହାଁନ୍ତି । ଖାଲି ସେତିକି ନୁହେଁ, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ଦ୍ୱାରା ଓଡିଶା ଭଳି ଏକ ଗରୀବ ରାଜ୍ୟ ମାସକୁ ପ୍ରାୟ ୫୦କୋଟି, ବର୍ଷକୁ ପ୍ରାୟ ୬୦୦କୋଟି ହରାଇବା ବିଡମ୍ବନାର ବିଷୟ । ତେଣୁ ରାଜ୍ୟ ସରକାର ଗରୀବ ଓଡିଆଙ୍କ ସ୍ୱାର୍ଥ ପାଇଁ ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଲାଗୁ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବୀ କରିଛନ୍ତି ।