କଳାହାଣ୍ଡି : ଅଖ୍ୟାତ ଅଂଚଳରୁ ସୁମଧୁର ସୁର। କଳାହାଣ୍ଡି ଜିଲ୍ଲା ମୁଷାପାଲି ପଂଚାୟତର ଗହନାମୁଣ୍ଡା ଗ୍ରାମର ବୁବୁ ନାଗଙ୍କ କଣ୍ଠରୁ ସୁମଧୁର ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ଗୀତ ଶୁଣି ବର୍ତ୍ତମାନ ସାରା ଦେଶରୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ତେବେ ପ୍ରୋତ୍ସାହନ ଅଭାବରୁ ତାଙ୍କ ପ୍ରତିଭାକୁ ଖ୍ୟାତି ମିଳି ପାରୁନାହିଁ । ଏଭଳି ସ୍ଥିତିରେ ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ଯୋଗାଇ ଦିଆଗଲେ ତାଙ୍କ ପ୍ରତିଭାକୁ ଖ୍ୟାତି ମିଳିପାରିବ ବୋଲି ପରିବାର ପକ୍ଷରୁ ନିବେଦନ କରାଯାଇଛି।
କଳାହାଣ୍ଡି ଜିଲ୍ଲା ମୁଷାପାଲି ପଂଚାୟତର ଗହନାମୁଣ୍ଡା ଗ୍ରାମରେ ବାସ କରନ୍ତି ବୁବୁ ନାଗ ଓ ତାଙ୍କ ପରିବାର । ବୟସ ଅତି କମ ହେଲେ ବି କଣ୍ଠରେ ଭରି ରହିଛି ସଂଗୀତର ମୁର୍ଚ୍ଛନା । ଭଜନ ହେଉ କି ସମ୍ବଲପୁରି କିମ୍ବା କ୍ଲାସିକ, ଓଲିଉଡ ହେଉ କି ବଲିଉଡ ସଂଗୀତ ସବୁଥିରେ ତାଙ୍କର ପାରିଦର୍ଶିତା ଦେଖିବାକୁ ମିଳିଛି । ବୁବୁଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଦେଖିସାରିଥିବା ବେଳେ ଲୋକେ ଗୀତ ଗୁଡିକୁ ବହୁତ ମାତ୍ରାରେ ପ୍ରଶଂସା କରି ସେୟାର କରୁଛନ୍ତି । ତେବେ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ପ୍ରତିଭାକୁ ଖ୍ୟାତି ମିଳିବା ସହ ଜିଲ୍ଲା ତଥା ରାଜ୍ୟର ତଥା ଦେଶରେ ସୁନାମ ଅର୍ଜନ ହୋଇପାରିବ ବୋଲି କହିଛନ୍ତି ।
ବୁବୁନ ଛୋଟ ବେଳୁ ଗାଁ ସ୍କୁଲରେ ପାଠ ପଢିବା ସହ ଗାଁ ପାଖରେ ଥିବା ଉଚ୍ଚବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ପରେ ସେ ଭୁବନେଶ୍ୱର ଠାରେ ଥିବା ବେଦାନ୍ତ ସ୍କୁଲ ଅଫ ଇଂଜିନିୟରିଂ ରେ ଡିପ୍ଲୋମା ପଢିଥିଲେ । ଏବେ ବିଟେକ ପଢିବା ପାଇଁ ପ୍ରବଳ ଆଗ୍ରହ ଥିବା ସତ୍ୱେ ଗରିବ ପରିବାରର ହୋଇଥିବାରୁ ଅର୍ଥ ସାଜିଛି ବାଧକ। ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ ତାଙ୍କୁ ପାଠ ପଢିବା ଓ ତାଙ୍କ ପାଖରେ ଥିବା ସଂଗୀତ ପ୍ରତିଭା ପାଇଁ ସରକାରଙ୍କ ସାହାଯ୍ୟ ଓ ପ୍ରୋତ୍ସାହନ ପାଇଁ ନିବେଦନ କରିଛନ୍ତି ବୁବୁ ନାଗଙ୍କ ଭାଇ । ତେବେ କେବେ ସରକାର ଏହି ଅଖ୍ୟାତ ପଲ୍ଲୀର ଫୁଲକୁ ସାହାଯ୍ୟ ସହ ପ୍ରୋତ୍ସାହନ ଯୋଗାଇ ଦେଇ ପ୍ରସ୍ଫୁଟିତ ହୋଇ ମହକିବା ପାଇଁ ସୁଯୋଗ ଦେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।