ଯନ୍ତ୍ରପାତିର ବହୁଳ ବ୍ୟବହାର ଆଜି ମଣିଷକୁ ମୃତ୍ୟୁର ଦ୍ବାରଦେଶରେ ଠିଆ କରିଛି । ମାଟି, ପାଣି, ପବନ ସବୁକିଛି ବିଷାକ୍ତ ହୋଇଯାଇଛି । ଯେଉଁ କାରଣରୁ ନାନାବିଧ ରୋଗରେ ପଡି ଛଟପଟ ହେଉଛି ଆଧୁନିକ ମଣିଷ । ଏପରିସ୍ଥଳେ ଆଧୁନିକତା ଓ ପାରମ୍ପରିକତା ମଧ୍ୟରେ ସମତୁଲ ରହିଲେ ହିଁ ମଣିଷ ସୁସ୍ଥ ଓ ସୁଖୀ ଜୀବନଧାରଣ କରିପାରିବ ବୋଲି କୁହାଯାଉଛି
ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ । ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ । ପରିବର୍ତ୍ତନଶୀଳ ଦୁନିଆରେ ତାଳ ଦେଇ ନିଜକୁ ଖାପ୍ ଖୁଆଇ ଚାଲୁଛି ମାନବ ସଭ୍ୟତା । ଯେଉଁଠି ଆଗରୁ ଘଞ୍ଚ ଜଙ୍ଗଲ ଥିଲା ତାହା ଆଜି ସହର ବୋଲାଉଛି । ସମୟର ଅନ୍ତରାଳେ ସବୁକିଛି ବଦଳିଛି । ମଧୁର ଗ୍ରାମୀଣ ଜୀବନ ମଧ୍ୟ ଆଧୁନିକତାର ଚାକଚକ୍ୟରେ ହଜିଯାଉଛି । ଆଗ କାଳରେ ସୂର୍ଯ୍ୟ ଉଇଁଲା ମାତ୍ରେ ଚାଷୀ ବଳଦ ଓ ଲଙ୍ଗଳ ସହ କ୍ଷେତକୁ ବାହାରି ପଡୁଥିଲା । କ୍ଷେତ କାମ ସାରି ପୁଣି ସୂର୍ଯ୍ୟ ନଇଁଲେ ଘର ମୁହାଁ ହେଉଥିଲା । ହେଲେ ସମୟର କସଟି ପଥରରେ ସେସବୁ ସ୍ମୃତି ହୋଇ ରହିଯାଇଛି ।
ସମୟରେ ଅନ୍ତରାଳରେ ହଜିଯାଇଛି ପୁରୁଣା ଦିନ । ଆଧୁନିକତାର ଚାକଚକ୍ୟରେ ଇତିହାସ ହେବାକୁ ବସିଛି ଗ୍ରାମୀଣ ସଂସ୍କୃତି । ଗାଁ ଗଣ୍ଡାରୁ ହଜିଯାଇଛି ଶଗଡ ଓ ଲଙ୍ଗଳର ଚିହ୍ନବର୍ଣ୍ଣ ।