ବୁର୍ଲ୍ଲା: ବୁର୍ଲ୍ଲା ଭୀମସାରରେ ଖୋଲିଲା 1ଟଙ୍କିଆ କ୍ଲିନିକ। ଟଙ୍କାଟିଏରେ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା। ଡାକ୍ତରଙ୍କ ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା। ଅନେକ ସମୟରେ ରୋଗୀଙ୍କ ପାଇଁ ଦେବଦୂତ ସାଜି ଚିକିତ୍ସା ସେବା ଯୋଗାଉଥିବା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଏବେ ପୁଣି ଥରେ ଚର୍ଚ୍ଚାରେ।
ବର୍ତ୍ତମାନ ସ୍ବାସ୍ଥ୍ୟସେବା ବ୍ୟୟବହୁଳ ହୋଇପଡିଛି । ଏଭଳି ପରିସ୍ଥିତିରେ ଅନେକ ରୋଗୀ ଅର୍ଥ ଅଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ସମାଜର ଏଭଳି ଗରିବ ଶ୍ରେଣୀର ରୋଗୀ ମାନଙ୍କ ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ବୁର୍ଲା ଭୀମସାର ସ୍ଥିତ ନିଜ ସରକାରୀ ବାସଭବନରେ ସେ ଖୋଲିଛନ୍ତି 1ଟଙ୍କିଆ କ୍ଲିନିକ । କେବଳ ମାତ୍ର 1ଟଙ୍କାରେ ସେ ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେଉଥିବା ବେଳେ ରୋଗୀମାନେ ମଧ୍ୟ ଡାକ୍ତର ରାମଚନ୍ଦାନୀଙ୍କ ଏହି କ୍ଲିନିକରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ତେବେ ଅର୍ଥ ଅଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ରୋଗୀ ମାନଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ପାଇଁ ଏହି ପ୍ରୟାସ ଆରମ୍ଭ କରିଥିବା ଡାକ୍ତର ରାମଚନ୍ଦାନୀ କହିଛନ୍ତି।
ଅନ୍ୟପଟେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଏଭଳି ମହତ ଉଦ୍ୟମରେ ଧର୍ମପତ୍ନୀ ଶିଖା ରାମଚନ୍ଦାନୀ ମଧ୍ୟ ସାଥ ଦେଇଛନ୍ତି । ସ୍ବାମୀଙ୍କ ସହ ସେ ମଧ୍ୟ କ୍ଲିନିକକୁ ଆସୁଥିବା ରୋଗୀଙ୍କ ଚିକତ୍ସା କରୁଥିବା ଦେଖିବାକୁ ମିଳିଛି । ଆଜିକାଲିର ମହଙ୍ଗା ଦୁନିଆରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଭଳି ଡାକ୍ତର ଏଭଳି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।
ତେବେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର ବୋଲି କୁହାଯାଉଥିବା ରାମଚନ୍ଦାନୀ ଏହାକୁ ପ୍ରମାଣିତ କରିଛନ୍ତି । ଗରିବ ରୋଗୀଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଅନ୍ୟ ଡାକ୍ତର ମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି ।