ଅର୍ଗସ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ପୁଣି ଥରେ ବଢିଲା ବିବାଦ। ବିଜେଡି ବିରୁଦ୍ଧରେ ବିଜେପିର ସାଙ୍ଘାତିକ ଅଭିଯୋଗ। ଏକାମ୍ର କ୍ଷେତ୍ରରେ ଆସୁଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ବିଜେଡିକୁ ପାଲଟା ବାଣ ମାରିଛି ବିଜେପି । ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଐତିହ୍ୟ ସୁରକ୍ଷା ପାଇଁ ଥିବା AMSAR ଆକ୍ଟ 1958 ଓ ନ୍ୟାସନାଲ ମନୁମେଣ୍ଟ ଅଥରିଟି 2010ରେ ଥିବା ନିୟମ ସହ ଓଡିଶା ସରକାରଙ୍କର ବିଡିଏର 2018 ଆଇନ ଓ ଗୃହ ନିର୍ମାଣ ବିଭାଗର 2020 ଆଇନରେ ବି ସମାନ ନିୟମ ରହିଛି। ଏଥିରେ ରହିଥିବା ନିୟମ ଅନୁଯାୟୀ ASI ଦ୍ୱାରା ସୁରକ୍ଷିତ କୀର୍ତ୍ତିରାଜି ନିକଟରେ 100 ମିଟର ଭିତରେ କୌଣସି ନିର୍ମାଣ କରାଯାଇ ପାରିବ ନାହିଁ ଏବଂ 300 ମିଟର ଭିତରେ ନିର୍ମାଣ କରିବାକୁ ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ।
ଠିକ ସେହିପରି ରାଜ୍ୟ ସରକାର ମଧ୍ୟ ନିର୍ମାଣ ପାଇଁ ଭୁବନେଶ୍ୱରରେ ବିଡିଏ ଠାରୁ ଅନୁମତି ନେଇ କାର୍ଯ୍ୟ କରୁଛନ୍ତି । ଏହା ସତ୍ୱେ ବି ବିଜେଡି କାହିଁକି ବାଇ-ଲ କୁ ବିରୋଧ କରୁଛି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ତେବେ ଏହାକୁ ନେଇ ଲେଖାଶ୍ରୀଙ୍କ ଅଭିଯୋଗ ଯେଉଁ କଥା ନଖରେ ଛିଣ୍ଡିଵ ତାକୁ ଲଢ଼ିବା ପାଇଁ ରାଜ୍ୟ ସରକାର ଟ୍ୟାଙ୍କ ବ୍ୟବହାର କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ କିନ୍ତୁ ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ସାଂସଦ ମାନଙ୍କୁ ପଠାଇ ବିବାଦୀୟ ପରିବେଶ ସୃଷ୍ଟି କରୁଛନ୍ତି ।
ସେପଟେ ଏହାରି ଭିତରେ ପୁଣି ଥରେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ବିଜେଡି ଟିମ ଭେଟିଛନ୍ତି। ମନ୍ତ୍ରୀଙ୍କୁ ଭେଟି ବିଜେଡି ସାଂସଦ ଗଣ ଏକାମ୍ର କ୍ଷେତ୍ରରେ ଆସୁଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର କରାଯାଉ ବୋଲି ଦାବି ରଖିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ବିକାଶ ଆଳରେ ପୁରାତନ ଐତିହ୍ୟ କିର୍ତିରାଜି ଉପରେ ବୋଲଡୋଜର ଚଳାଇବା କେତେ ଦୂର ଠିକ୍ ? ବହୁ ପ୍ରାଚୀନ ମଠ ମନ୍ଦିର ଭାଙ୍ଗି ସେଠାରେ ଫୁଲ କୁଣ୍ଡ ଥୋଇବା କଣ ରାଜ୍ୟ ସରକାରଙ୍କ ବିକାଶର ନୂଆ ପରିପନ୍ଥି କି ?