ସମ୍ବଲପୁର/ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ସମ୍ବଲପୁରଠାରେ ଆୟୋଜିତ ଏକ ବିଶ।।ଳ ଜନସାମବେଶରେ ସମ୍ଭୋଧିତ କରିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ, ଆଜି ଦେଶରେ ଅରାଜକତାର ବାତାବରଣ ସୃଷ୍ଟି କରିବା ପାଇଁ ଟୁକଡେ ଟୁକୁଡେ ଗ୍ୟାଙ୍ଗ ଅପପ୍ରୟାସ ଚଲାଇଛି । ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ‘ନେହରୁ- ଲିଆକତ’ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ଚୁକ୍ତି କରିଥିଲେ । କିନ୍ତୁ ପାକିସ୍ତାନ ତାହା ନକରି ସେଠାରେ ଥିବା ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଧର୍ମଉତ୍ପୀଡନ କରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଯଦି ଏହି ଚୁକ୍ତିକୁ ପାକିସ୍ତାନ ପାଳନ କରିଥାନ୍ତା, ତେବେ ଆଜି ଏହି ନିୟମ ଆଣିବାର କୌଣସି ଆବଶ୍ୟକତା ନଥିଲା ବୋଲି ଶ୍ରୀ ସିଂହ କହିଛନ୍ତି ।
ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଧର୍ମ ପରିବର୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା ଏବଂ ପଡୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଭାରତ ବିଭାଜନ ପରେ ସେତେବେଳେ ମହାତ୍ମା ଗାନ୍ଧି କହିଥିଲେ ।
କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ଏବେ କୌଣସି ପ୍ରସଙ୍ଗ ନଥିବା କାରଣରୁ ନାଗରିକତା ସଂଶୋଧନ ଆଇନର ମିଥ୍ୟା ପ୍ରଚାର କରି କଂଗ୍ରେସ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି । ନାଗରିକତା ସଂଶୋଧନ ଆଇନ କେବଳ ଶରଣାର୍ଥୀମାନଙ୍କୁ ନାଗରକିତା ଦେବା ପାଇଁ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହା ସଂସଦରେ ସ୍ପଷ୍ଟ ଭାବେ କହିଛନ୍ତି । କିନ୍ତୁ ବିରୋଧୀ ଦଳମାନେ ଏହା ବିରୁଦ୍ଧରେ କୁପ୍ରଚାର କରିଚାଲିଛନ୍ତି । ଏହି ଆଇନକୁ ସମସ୍ତେ ସମର୍ଥନ ଦେବା ଦରକାର ବୋଲି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ କହିଛନ୍ତି ।
