ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆଉ ସିଧାସିଧା ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସ୍ପଷ୍ଟ ଦିବା ଲୋକରେ ଦିନ ଦି ପ୍ରହରେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ ଏହା କେବଳ ଓଡ଼ିଶାରେ ନୁହେଁ ଦେଶରେ ବି ବିରଳ । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଓଡିଶା ବାସୀ ଆତଙ୍କିତ ।
ସରକାର ଏଠି ପଙ୍ଗୁ ହୋଇ ରହିଛି । ଦୀର୍ଘ 23 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ରେ ରହିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଙ୍କ ର ହତ୍ୟା ହେଉଛି ପୋଲିସ ଗୁଳି ମାରୁଛି । ତଦନ୍ତ ନେଇ ବିଭାଗୀୟ ମନ୍ତ୍ରୀ କୌଣସି ମନ୍ତବ୍ୟ ରଖିଲେ ନାହିଁ । କି ପୋଲିସ ଡିଜି ଘଟଣାସ୍ତଳ କୁ ଗଲେନି । ଗୃହ ସଚିବ ବି ଚୁପ । ଏଠି ସରକାର ଚଳଉଛି କିଏ ତାହା ବଡ଼ ପ୍ରଶ୍ନ ।
ସେ ଆହୁରି କହିଛନ୍ତି ଯେଉଁ ପୋଲିସ ଅଧିକାରୀ ହତ୍ୟା କଲେ ତାଙ୍କୁ ସରକାର ବାରମ୍ବାର ମେଡାଲ ଦେଇଛନ୍ତି । ସେ କାହିଁକି ହତ୍ୟା ତାହା ବଡ଼ ପ୍ରଶ୍ନ । ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ତାର ତଦନ୍ତ କରିବ । ଏଥିରେ କେମିତି ବିଶ୍ଵସନୀୟତ ରହିବ । କ୍ରାଇମବ୍ରାଞ୍ଚ ଯେଉଁ କେସ ନେଇଛି ତାର କେତେ ସଫଳତା ମିଳିଛି ।
ନବ ଦାସ କେବଳ ଜଣେ କ୍ୟାବିନେଟ ମନ୍ତ୍ରୀ ନଥିଲେ ଜଣେ ପ୍ରଭାବଶାଳୀ ନେତା ଥିଲେ । ପଶ୍ଚିମ ଓଡିଶାରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା । ତାଙ୍କର ଏପରି ହତ୍ୟା ହେବା ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ । ବିଗତ ଦିନରେ ଅନେକ ଘଟଣା ରେ ପ୍ରମାଣ ନଷ୍ଟ ହୋଇଛି । ଏଇ ଘଟଣା ରେ ବି ପ୍ରମାଣ ନଷ୍ଟ କରିବା କରିବା ପାଇଁ ରାସ୍ତା ତିଆରି ହୋଇଛି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛି ଏଇ ଘଟଣାରେ ସିବିଆଇ କୁ ତୃତୀୟ ପକ୍ଷ ଭାବେ ନେଇ ତଦନ୍ତ ଭାର ଦିଅନ୍ତୁ ।
ସେପଟେ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ କହିଛି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପଛରେ ଟପ ଲେଭେଲ ରେ ଥିବା ଲୋକ ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ । ପ୍ରଥମେ ଗୃହ ବିଭାଗ ରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ଗୃହ ବିଭାଗ ର କର୍ମୀ ହତ୍ୟା କରୁଛି ହେଲେ ମୁଖ୍ୟମନ୍ତ୍ରୀ ଚୁପ । ଅଭିଯୁକ୍ତ ପୋଲିସ ଅଧିକାରୀ ମୁଣ୍ଡ ଖରାପ ଥିଲା ବୋଲି କୁହା ଗଲାଣି । ଆଉ କେହି ତାଙ୍କର ଫାଇଦା ନେବା ପାଇଁ ହତ୍ୟା କରିନାହିଁ ତ ଏଭଳି ପ୍ରଶ୍ନ ଏବେ ଉଠୁଛି ।
କଂଗ୍ରେସ ଆହୁରି କହିଛି 48 ଘଣ୍ଟା ପରେ ଵି ପୋଲିସ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡ ର କାରଣ ଖୋଜି ପାରିନି । ପୋଲିସ ଡିଜି ଚୁପ , ମୁଖ୍ୟମନ୍ତ୍ରୀ ଚୁପ । କ୍ରାଇମ ବ୍ରାଞ୍ଚ ଙ୍କ ତଦନ୍ତ ଭାର ଦେଇ ମାମଲା କୁ ଚାପି ବାକୁ ଉଦ୍ୟମ କରାଯାଉଛି । ପରୀ ହତ୍ୟାକାଣ୍ଡ ମାମଲା କୁ ଚାପିବାକୁ ଚେଷ୍ଠା କରିଥିବା ବୋଥ୍ରା ଙ୍କୁ ତଦନ୍ତ ଦାୟିତ୍ୱ ଦିଆ ଯାଇଛି । ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ସହ ଆର୍ଥିକ ଓ଼ ରାଜନୈତିକ ପତିଆରା ଥିବା ବ୍ୟକ୍ତି ଥିଲେ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡଯନ୍ତ୍ର ହୋଇଛି ।
ସେପଟେ ପୋଲିସ ଗୁଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ବିସ୍ପୋରକ ବୟାନ ଦେଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳାର ଏମିତି ସ୍ଥିତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦେବାଶିଷ । ଯେଉଁଠି ଜଣେ କ୍ୟାବିନେଟ୍ ମିନିଷ୍ଟରଙ୍କ ଏପରି ଦଶା । ଏହାକୁ ନେଇ କଣ କୁହାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ନାୟକ ।