ଏହି ଇସ୍ତଫା ପର୍ବ କାଲି ପର୍ଯ୍ୟନ୍ତ ବଳବତ୍ତର ରହିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଉ ଦୁଇ ହେବିଓ୍ବେଟ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି। ତାହା ପୁଣି ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ନେତା।
ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଲେ। ପଚାରିବାରୁ ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା ଦେଇଛନ୍ତି ବୋଲି କହିଲେ। ଏହି ଇସ୍ତଫା ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳର ସୂଚନା ଦେଇଛି।
ସୂଚନାଯୋଗ୍ୟ, ୨୦୨୨ରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମିଳିଥିଲା । ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଗଣଶିକ୍ଷାମନ୍ତ୍ରୀ ପଦ ମିଳିଥିଲା। କିନ୍ତୁ ଏହି ଦୁଇ ମନ୍ତ୍ରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଥିଲା। ଶ୍ରୀକାନ୍ତଙ୍କ ନାମରେ ବିଜେଡି ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଥିଲା। ସେହିପରି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶ ବିବାଦରେ ଥିଲେ।