ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ହୋଇଥିବା ଅନିୟମିତତାର ଚିତ୍ର । ବିଜୁ ସେତୁ ଯୋଜନା ଅଧିନରେ ୨୦୧୭-୧୮ରୁ ୨୦୨୦-୨୧ ମଧ୍ୟରେ ୭୯୩ଟି ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ମାତ୍ର ୪୭୩ଟି ସେତୁର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଥିଲା ଏବଂ ୩୧୮ଟି ଅସଂପୂର୍ଣ୍ଣ ରହିଥିଲା । ୨୦୧୭ -୨୦୨୧ ମସିହା ପାଇଁ ୨ ହଜାର ୫୭୦ କୋଟି ବଜେଟ ବ୍ୟବସ୍ଥା ହୋଇଥିଲେ ବି ୩୧୪ କୋଟି ଟଙ୍କା ବିନିଯୋଗ ହୋଇପାରିନାହିଁ । ଟେଣ୍ଡର ଚୂଡ଼ାନ୍ତରେ ବିଳମ୍ବ, ପ୍ରାଥମିକ ସର୍ବେକ୍ଷଣରେ ତ୍ରୁଟି ଯୋଗୁଁ ନକ୍ସାରେ ପରିବର୍ତ୍ତନ, ଜମି ମାମଲା ସମାଧାନରେ ବିଫଳତା ଓ ଠିକାଦାର ମାନଙ୍କ ଦ୍ଵାରା ମନ୍ଥର ଗତିରେ କାମ ଯୋଗୁଁ ପ୍ରକଳ୍ପ ଗୁଡ଼ିକ ବିଳମ୍ବ କିମ୍ବା ଅସଂପୂର୍ଣ୍ଣ ରହିଥିଲା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ଖାଲି ଏତିକି ନୁହେଁ, ୫ଟି ସେତୁ କ୍ଷେତ୍ରରେ ଯୋଜନାର ଗାଇଡଲାଇନ ଖିଲାପ କରି ୫ କିମି ଅଞ୍ଚଳ ମଧ୍ୟରେ ବିକଳ୍ପ ସେତୁ ଥିବା ସତ୍ତ୍ଵେ ନୂଆ ସେତୁ ନିର୍ମାଣ କରାଯାଇଥିଲା । ସେତୁ ପାଇଁ କିମ୍ବା ସେତୁକୁ ଯିବା ପାଇଁ ଉଦ୍ଦିଷ୍ଟ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇନପାରିବାରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ଵେ ୪୮ଟି ପ୍ରକଳ୍ପ ଅଂସପୂର୍ଣ୍ଣ ରହିଛି ।