ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ୧୫ତମ ପ୍ରତିଷ୍ଠା ଦିବସକୁ କୋରାପୁଟ ସ୍ଥିତ ଲାଣ୍ଡିଗୁଡ଼ା କ୍ୟାମ୍ପସରେ ସମାରୋହ ଅନୁଷ୍ଠିତ ହେଉଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୯ ଅଧୀନରେ ୨୦୦୯ ମସିହାରେ ଅଗଷ୍ଟ 29 ତାରିଖରେ କୋରାପୁଟ ଠାରେ ଏହି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ଏକାସାଙ୍ଗରେ ସ୍ଥାପିତ ହୋଇଥିବା ଦେଶର ଅନ୍ୟ 13ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନ୍ୟତମ ଥିଲା । ପ୍ରତିଷ୍ଠା ପରଠାରୁ ବିଶ୍ୱବିଦ୍ୟାଳୟ ନିଜର ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବା ସହ ଏହି ଅଞ୍ଚଳର ଶିକ୍ଷାଗତ ଆକାଂକ୍ଷାପୂରଣ ପାଇଁ ପ୍ରୟାସ ଜାରି ରଖିଛି ।
ବିଗତ ୧୪ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ୦୮ଟି ବିଦ୍ୟାଳୟ ଓ ୧୮ଟି ବିଭାଗ ପ୍ରତିଷ୍ଠା କରିଥିବା ବେଳେ ୦୮ଟି ବିଭାଗରେ ଗବେଷଣା କାର୍ଯ୍ୟକ୍ରମ ହାତକୁ ନେଇଛି । ଚଳିତ ଶିକ୍ଷାବର୍ଷରୁ ବିଶ୍ୱବିଦ୍ୟାଳୟ କୃଷି ବିଜ୍ଞାନ, ବନୀକରଣ ପରିଚାଳନା, ପଶୁପାଳନ ଓ ଦୁଗ୍ଧ ଚାଷରେ ବିଏସଏସି ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ପିଜି ଏମବିଏ ପାଠ୍ୟକ୍ରମ ଆରମ୍ଭ କରିଛି । ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ତଥା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବର୍ତ୍ତମାନର ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
ବର୍ତ୍ତମାନର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସେପ୍ଟେମ୍ବର ୨୦୨୨ରେ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ତାଙ୍କ ଯୋଗଦାନ ପରେ କ୍ୟାମ୍ପସ ଭିତ୍ତିଭୂମି ବିକାଶ ଏବଂ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ସମେତ ବିଶ୍ବବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...