ଚୈତ୍ର ମଙ୍ଗଳବାର ଓଷା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ । ମାଆ ମଙ୍ଗଳା ପରମବୈଷ୍ଣବୀ ଦେବୀ । ଏହି ଦେବୀ ପ୍ରାୟ ପ୍ରତି ଗ୍ରାମରେ ଗ୍ରାମଦେବୀ ଭାବରେ ପୂଜିତା ହୁଅନ୍ତି । କିଏ ବାଟମଙ୍ଗଳା, ସର୍ବମଙ୍ଗଳା, ସିଦ୍ଧମଙ୍ଗଳା, ଜୟମଙ୍ଗଳା ଆଦି ନାମରେ ତାଙ୍କୁ ଡାକିଥାଏ । ଚୈତ୍ରମାସର ମଙ୍ଗଳବାରଗୁଡ଼ିକରେ ଏହାଙ୍କର ପୂଜା ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗୃହିଣୀ କରିଥାଆନ୍ତି । ସାଧାରଣତଃ ଦାଣ୍ଡରେ ପନ୍ଥେଇ ଖୋଳି, ସେଥିରେ ପଣା ଭୋଗ ଦେଇ ଏହି ପୂଜା କରାଯାଇଥାଏ । କୁହାଯାଏ, ଚଇତି ହାଡ଼ିଆଣୀ ସବୁଦିନ ସକାଳେ ଯାଇ ରାଜନଅର ଓଳାଏ । ଦିନେ ରାଜନଅର ଓଳାଇଲା ବେଳେ ସେ ରାଜାଙ୍କର ମୁଖ ଦର୍ଶନ କଲା । ସେହି ରାଜା ଅପୁତ୍ରିକ ଥିଲେ । ସମାଜରେ ପ୍ରଚଳିତ ବିଶ୍ୱାସ ଅନୁସାରେ ଅପୁତ୍ରିକର ମୁଖ ଦର୍ଶନ ଅଶୁଭ ।
ତେଣୁ, ଚଇତି ମନ ଦୁଃଖ କଲା ଓ ରାଜାଙ୍କୁ ଅପୁତ୍ରିକ କହିଦେଲା। ଫଳରେ ରାଜା ଭୀଷଣ ରାଗିଗଲେ ଆଉ ଚଇତି ହାଡ଼ିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ତାର ସାତ ପୁଅଙ୍କୁ ମାରି ଗଭୀର ପାଣିରେ ପକାଇ ଦେଲା । କିନ୍ତୁ ଚଇତି ହାଡ଼ିଆଣୀ ମାଆ ମଙ୍ଗଳାଙ୍କ ପୂଜା କରି ସେହି ଗଣ୍ଡରେ ଦୂବ ପ୍ରସାଦ ପକାଇବାକୁ ସାତ ପୁଅ ବଞ୍ଚି ଫେରିଆସିଲେ । ରାଜା ଏହା ଦେଖି ରାଣୀମାନଙ୍କୁ ଚୈତ୍ର ମଙ୍ଗଳବାର ଓଷାର ବିଧି ବତାଇ ଦେବାକୁ ସେଇ ଚଇତିକୁ ଅନୁରୋଧ କଲେ । ସେ ତାହା ବତାଇବାରୁ ରାଣୀମାନେ ଚଇତି ମଙ୍ଗଳବାର ଓଷା କଲେ ଓ ତାଙ୍କର ପୁତ୍ର ଲାଭ ହେଲା । ରାଜାଙ୍କ ଅପୁତ୍ରିକ ଦୋଷ କଟିଲା । ତେଣୁ ବିଶ୍ୱାସ ଅନୁସାରେ ଏହି ଓଷାକୁ ମହିଳାମାନେ ତାଙ୍କ ପୁତ୍ର ପାଇଁ କରିଥାନ୍ତି। ମା ମଙ୍ଗଳାଙ୍କର କରୁଣ କୃପା ପାଇଥାନ୍ତି।