ଅର୍ଗସ୍ ବ୍ୟୁରୋ : ତିଥିର ନାଁ ଭଉଁରୀ। ଆଉ ଏହି ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଚକଡେରା କାମଟି ଆରମ୍ଭ ହୋଇଥାଏ। ଚକ ଡେରିବାର ଅର୍ଥ ହେଉଛି, ବିଶାଳ ଚକୁ ଅଖ ସହ ସଂଯୋଗ କରିବା। ଭଉଁରୀ ତିଥି ହେଉଛି ବାହାର ୨୧ ଦିନ ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଏହି ଦିନ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିଥାଏ। ଏବଂ ପ୍ରତି ରଥର ଦୁଇଟି ଲେଖାଏଁ କରି ୬ଟି ଚକ ଅଖ ସହ ସଂଯୁକ୍ତ ହୋଇଥାଏ। ଭୋଇ ସେବକମାନେ କାନ୍ଧରେ ବିଶାଳ ଚକକୁ କାଠ ବହ୍ଲାରେ ବୋହି ଆଣି ଅଖ ସହ ଯୋଡିଥାନ୍ତି। ଏହି କାମ ସୂଚାର ରୂପେ ସମ୍ପନ୍ନ ହେବା ପରେ ସମସ୍ତେ ହରିବୋଲ ଦେଇଥାନ୍ତି।
ଚକ ଡେରିବା କର୍ମ ସମାପନ ହେବା ପରେ, ଗୋଟିଏ ମାଟି କଳଶରେ ଜଳ ଆସି ଚକକୁ ଧୋଇ ସୁଦ୍ଧ କରାଯାଏ। ଏହାପରେ ରଥର ମୁଖ୍ୟ ମହାରଣା ଡେରା ହୋଇଥିବା ଚକର ମଧ୍ୟଭାଗରେ ମହାପ୍ରଭୁଙ୍କ ଅଙ୍ଗଲାଗି ବସ୍ତ୍ର ବା ଖଣ୍ଡୁଆ ପକାନ୍ତି। ଯାହା ଉପରେ ଶ୍ରୀମନ୍ଦିରରୁ ବିଜେ ହୋଇଥିବା ମହାପ୍ରଭୁଙ୍କ ଅଧରମାଳ ଗୁଡିଆ ହୋଇ ରଖାଯାଇଥାଏ।
ଏହି ଆଜ୍ଞାମାଳ ସମର୍ପଣ ବିଧି ସମ୍ପନ୍ନ ହେବା ପରେ ୩ ରଥର ମୁଖ୍ୟ ମହାରଣା ଏହାକୁ ରଥଖଳାର ଦେବୀ ମା’ ଚରଚିକାଙ୍କୁ ଲାଗି କରିଥାନ୍ତି।