ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।
ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନ ଲୋକମାନଙ୍କୁ ୧୫ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲାର ପାଣି ପଶିଥିବା ଗାଁର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର ୧୫ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।