କାଶୀପୁରରେ ଆଜି ଝାଡାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଛି । ଡେଙ୍ଗାଗୁଡା ଗାଁରେ ପୂର୍ବରୁ ପାନୀୟଜଳର ନମୁନା ଦୂଷିତ ଏବଂ ଇକୋଲାଇ ଜୀବାଣୁ ଚିହ୍ନଟ ହୋଈଥିଲା । ଏବେସୁଦ୍ଧା ୬୫ ଗାଁକୁ ଝାଡାବାନ୍ତି ବ୍ୟାପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି । ମୃତ୍ୟୁ ଓ ଅକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭୟଭୀତ ଅବସ୍ଥାରେ ଅଂଚଳବାସୀ । କାଶୀପୁର ଓ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଭେଟିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।
ନବରଙ୍ଗପୁରରେ କାଶୀପୁର ଭଳି ସ୍ଥିତି ଦେଖିବାକୁ ମିଳିଛି । ନନ୍ଦାହାଣ୍ଡି ବ୍ଲକର ଖଡିଆଗୁଡ଼ା ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖଡ଼ିଆଗୁଡ଼ା ଗାଁ ମାଝୀ ସାହିର ପ୍ରାୟ 16 ଜଣ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ଅଛନ୍ତି । ସପ୍ତାହ ହେଲାଣି ସମ୍ପୃକ୍ତ ଅଂଚଳରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ଆଜି ତରବରିଆ ଭାବେ ଡାକ୍ତରୀ ଦଳ, ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କାଶୀପୁର ପରେ କୋରାପୁଟ୍ ତା ପରେ ନନବରଙ୍ଗପୁର । ପ୍ରଦୂଷିତ ପାଣି ଯୋଗୁଁ ବ୍ୟାପୁଛି ହଇଜା । ଯେତିକି ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ତାର ଦୁଇଗୁଣାରୁ ଅଧିକ ଲୋକଙ୍କ ଘରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପରିଚ୍ଛନ୍ନତା ଉପରେ ଦୃଷ୍ଟି ନଦେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି ।