ଅର୍ଗସ ବ୍ୟୁରୋ : ଘନେଇଲା ପରିକ୍ରମା ପ୍ରକଳ୍ପ ବିବାଦ। ବିନା ଡିପିଆର କାମକୁ ନା ପସନ୍ଦ । ବିରକ୍ତି ପ୍ରକାଶ କଲେ ସଂସଦୀୟ କମିଟି ସଦସ୍ୟ। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ଗୁରୁବାର ପୁରୀରେ ପହଞ୍ଚିଥିଲେ ୨୨ ଜଣିଆ ସଂସଦୀୟ କମିଟି ସଦସ୍ୟ । କେନ୍ଦ୍ର ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗର ସଦସ୍ୟ ମାନେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଆଉ ତା ପରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଦର୍ଶନ,ସୁରକ୍ଷା ଓ ଗ୍ରହଣ କରାଯାଇଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ୍ । ତେବେ ସାଂସଦ ଟି.ଜି.ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମରେ ସଦସ୍ୟ ତଥା ମହାରାଷ୍ଟ୍ର ସାଂସଦ ସମ୍ବାଜି ରାଓ ଛତ୍ରପତି, ମନ୍ଦିର ଚର୍ତୁପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନା ପସନ୍ଦ କରିଛନ୍ତି । ସେ କହିଛନ୍ତି, ବିନା ଡିପିଆର୍ ରେ ଯାହା କାମ ହେଉଛି ଠିକ୍ ହେଉନି। ଏସସଆଇ ସହ ସମନ୍ବୟ ରକ୍ଷା କରି ରାଜ୍ୟ ସରକାର କାମ କରିବାର ଉଚିତ୍। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ। ମାତ୍ର ନିର୍ମାଣ କାର୍ଯ୍ୟ ଲାଗି ଏସସଆଇ ସହ ସମନ୍ବୟ ରକ୍ଷା କରିବା ଉଚିତ୍। ସେହିପରି ଏଏସଆଇ ଏଡିଜି ଆଲୋକ ତ୍ରୀପାଠି ନିର୍ମାଣସ୍ଥଳକୁ ଯାଇ ପ୍ରକଳ୍ପ କାର୍ଯ୍ୟର ସବିଶେଷ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ଆମସାର୍ ଆକ୍ଟ ପାଠ ପଢାଇଛନ୍ତି ।
ସେପଟେ ହାଇକୋର୍ଟରେ ଏ ନେଇ ଆଜି ରହିଥିଲା ଶୁଣାଣି ତାରିଖ । ମାତ୍ର ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିନଥିବା ବେଳେ ଦୁଇ ସପ୍ତାହ ସମୟ ନେଇଛି ଏଏସଆଇ । ତେବେ ଉଭୟ ପକ୍ଷକୁ ଶୁଣିବା ପରେ ରାଜ୍ୟ ସରକାର ଓ ଏଏସଆଇ ବିଶେଷଜ୍ଞ ମିଳିତ ଭାବେ ଯାଞ୍ଚ କରି ସାନି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ମେ ୧୬ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସେହିପରି ଭୁବନେଶ୍ଵରର ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ଏକ ଇଣ୍ଟରଭିନିଂ ପିଟିସନ ଦାଖଲ କରାଯାଇଥିବାରୁ ପରବର୍ତ୍ତୀ ସମୟରେ ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହାରି ଭିତରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁରୀରେ ଏକ ବିଶାଳ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ।
ଅନ୍ୟପଟେ ଶ୍ରୀ ମନ୍ଦିର ପ୍ରସଙ୍ଗରେ ଗଠନ ହୋଇଥିବା ବିଧାନସଭାର ଗୃହ କମିଟି ବୈଠକ କେବେ ବସିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଇନର ଆଳ ଦେଖାଇଛନ୍ତି କମିଟି ଅଧକ୍ଷ ତଥା ବାଚସ୍ପତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭାଗ୍ୟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କମିଟି କେବେ ଯାଇ ସ୍ଥିତି ଅନୁଧ୍ୟାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।