୧୯୩୫ ମସିହାରେ ଶ୍ରୀ ହୋତା ଶ୍ରୀକ୍ଷେତ୍ର ପୁରୀର ଗୌଡବାଡ ସାହିରେ ଜନ୍ମ ଗ୍ରହଣ କରିଥିଲେ । ପିତା ଗୋପୀନାଥ ମହାପାତ୍ର ଓ ମାତା ଦଣ୍ଡିମଣୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଦାମୋଦର । ପିତା ଜଣେ ଉଚ୍ଚକୋଟିର ମର୍ଦ୍ଦଳ ବାଦକ ହୋଇଥିବାରୁ ତାଙ୍କଠାରୁ ସଙ୍ଗୀତ କଳାଟି ପିତୃପ୍ରଦତ୍ତ କଳା ଭାବେ ତାଙ୍କ ପାଖକୁ ଆସିଥିଲା କହିଲେ ଭୁଲ ହେବନି । ଅଡଙ୍ଗତିଆଡି ଜାଗାଘର ଥିଲା ଦାମୋଦରଙ୍କ ସଙ୍ଗୀତ ଶିକ୍ଷାର ଅନ୍ତୁଡିଶାଳ ।
ପରେ ସେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ନୃସିଂହନାଥ ଖୁଣ୍ଟିଆଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ଉଡ୍ର ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତ ଗାୟନ ଥିଲା ଦାମୋଦରଙ୍କ ସ୍ୱତନ୍ତ୍ରତା । ଓଡ଼ିଶୀ ଓ ହିନ୍ଦୁସ୍ତାନୀ ଉଭୟ ସଙ୍ଗୀତ ଗାୟନରେ ଦାମୋଦର ଥିଲେ ସିଦ୍ଧହସ୍ତ ।
ପରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମୀରୁ ବୃତ୍ତି ଲାଭ କରି ବନାରସ ହିନ୍ଦୁ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ । ଏଥିସହ ଶାସ୍ତ୍ରୀୟ ସଂଗୀତ ଓ ଉଡ୍ର ପଦ୍ଧତୀୟ ସଂଗୀତ ଉପରେ ସେ ବହୁ ଉପାଦେୟ ପୁସ୍ତକ ରଚନା କରିଥିଲେ । ତାଙ୍କ ସ୍ୱତନ୍ତ୍ର ଗାୟନ ଶୈଳୀକୁ ଦେଖି ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ତାଙ୍କୁ ଡକ୍ଟରେଡ ଉପାଧୀରେ ଭୂଷୀତ କରିଥିଲେ ।
ତାଙ୍କ ଆବର୍ତ୍ତମାନରେ ଓଡ଼ିଶା ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।