କିଏ ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ଯସ୍ତ ପୁଣି ଆଉ କିଏ ଭାଟିରେ ଦୀପକୁ ପୋଡୁଛି । ଦେଉଳି ଗାଁର କିଛି କୁମ୍ଭକାର ସେମାନଙ୍କ ବୃତି ଛାଡିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ପରମ୍ପରାକୁ ଜାବୁଡି ଧରିଛନ୍ତି । ଆଉ ଦୀପାବଳି ପାଇଁ ଭଳିିକି ଭଳି ଦୀପ ପ୍ରସ୍ତୁତ କରୁଛନ୍ତି ।
ବର୍ଷ ତମାମ ରହିଛି ମାଟି ଦୀପର ଚାହିଦା । କିନ୍ତୁ ଦୀପାବଳୀ ଆସିଲେ ଏହି ଦୀପର ଚାହିଦା ଦ୍ୱିଗୁଣିତ ହୋଇଥାଏ । ଆଉ ସେଇଥିପାଇଁ ଦୀପାବଳୀର ମାସକ ପୂର୍ବରୁ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର । ବଜାର ଚାହିଦା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମ ଦୀପାଳି, ଛାଞ୍ଚ ଦୀପାଳି,ସଦା ଦୀପାଳି ଭଳି ପାଞ୍ଚ ରୁ ସାତ ପ୍ରକାର ଦୀପ ପ୍ରସ୍ତୁତ କରୁଥିବା କହିଛନ୍ତି କାରିଗର । ଦେଉଳି ଗାଁର ୩୦ ପରିବାର ଏବେ ଏଭଳି ଦୀପ ପ୍ରସ୍ତୁତ କରୁଛନ୍ତି ।
ଦୀପାବଳି ପାଇଁ ପ୍ରତ୍ୟେକଟି ଘରେ ୨୦ ହଜାରରୁ ୩୦ ହଜାର ଦୀପ ସଜେଇ ରଖିଲଣି । ଏ ଦୀପ କେବଳ ବ୍ଳକ ଅଞ୍ଚଳରେ ବିକ୍ରି ପାଇଁ ନୁହେଁ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଦୀପାବଳିରେ ଦୀପ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ବୋଲି ଆସା ବାନ୍ଧିଛନ୍ତି କୁମ୍ଭକାର ମାନେ ।
ଏଥର ବିନା କଟକଣାରେ ଦୀପାବଳି ପାଳନ କରାଯାଉଥିବାରୁ ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବେପାର ହେବ ବୋଲି ଆଶାରଖିଛନ୍ତି କୁମ୍ଭକାର ପରିବାର । କିନ୍ତୁ ଦିନକୁ ଦିନ ମାଟି ଅଭାବ ଓ ପୋଡିବା ପାଇଁ ଜାଳେଣି କାଠର ଅଭାବ ସମସ୍ୟାକୁ ବଢ଼ାଉଛି । ସେହିଭଳି ପାରିଶ୍ରମିକ ଅନୁସାରେ ପ୍ରାପ୍ୟ ମିଳୁନଥିବା କହିଛନ୍ତି କାରିଗର ମାନେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।