ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ତା ସହିତ ମିଶନ ଶକ୍ତି ଗୋଷ୍ଠୀମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଛନ୍ତି । ସେହିପରି ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ Rapid Response Team ଓ କ୍ଷେତ୍ର କର୍ମଚାରୀ ମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଥିଲେ । ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍ ଅଟେ। ଯାଜପୁର, ବାଲେଶ୍ବର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ଅଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନର ରହିଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ।