ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା hospitalization ବହୁତ କମ୍ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନଥିବା ତଥା ଦ୍ୱିତୀୟ ଡୋଜ ନେଇ ନଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହିସହିତ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧାମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥଲେ ଏବଂ ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ ।
ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । କମ୍ ହସ୍ପିଟାଲାଇଜେନ ସତ୍ତ୍ୱେ ଦ୍ୱିତୀୟ ଲହର ଠାରୁ ଅଧିକ ସଂଖ୍ୟକ ବେଡ ମହଜୁଦ ରଖାଯାଇଛି । ଏବଂ ତା ସହିତ ଅକ୍ସିଜେନ, ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି ।
ଟିକାକରଣ କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନ ସଂପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ, ଦ୍ବିତୀୟ ଡ଼ୋଜର ହାର ୬୮.୪ ପ୍ରତିଶତ ରହିଛି । ସେହିପରି ୩୦.୭ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି । ତେଣୁ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ।