ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।
ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।— Naveen Patnaik (@Naveen_Odisha) February 2, 2020
ରବି ସିଂହ କଟକ ସ୍ଥିତ ଏସ୍ସିବି ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବୟସ ହୋଇଥିଲା । ଓଡିଶାରେ ବିପ୍ଲବୀ କବି ନାମରେ ରବି ସିଂ ବେଶ୍ କ୍ଷାତନାମା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତୀ ଚଉରାରେ ବିପ୍ଲବୀ କବିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ଅନେକ ଦିନ ଧରି ସେ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ଓଡିଆ ସାହିତ୍ୟରେ ରବି ସିଂଙ୍କ ଅତୁଳନୀୟ ଅବଦାନ ରହିଛି । ତାଙ୍କୁ ୧୯୬୧ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ୨୦୧୭ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଚରମ ପତ୍ର, ପାଦଟୀକା, ଅପ୍ରୀତିକର କବିତା ଭଳି ପୁସ୍ତକର ସ୍ରଷ୍ଟା । ଲାଲ ପାଗୋଡ଼ା ଓ ଅନ୍ୟାନ୍ୟ କବିତା’ର ସ୍ରଷ୍ଟା ହେଉଛନ୍ତି ରବି । ତାଙ୍କ ପରଲୋକରେ ବହୁ ସହିତ୍ୟିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଦୀର୍ଘ ଛଅ ଦଶନ୍ଧି ଧରି ଓଡ଼ିଆ ସାହିତ୍ୟ ଜଗତରେ ଝଲକୁଥିବା ଏହି ଅନନ୍ୟ କାବ୍ୟ ତାରକାଙ୍କ ଲିଭିଯିବାରୁ ସାହିତ୍ୟ ଜଗତ ଉପରେ ଅନ୍ଧକାରର ଛାଇଯାଇଛି ବୋଲି କୁହାଯାଇପାରେ । ରବି ସିଂ ଏକାଧାରରେ କବି, ସମାଲୋଚକ ଓ ଓଜସ୍ୱୀ ବକ୍ତା ମଧ୍ୟ ଥିଲେ । ନିଜର ନିର୍ଭୀକ ମତ, ବିଶ୍ୱ ସମାଜବାଦୀ ଆନ୍ଦୋଳନରେ ତାଙ୍କ ଉଲ୍ଲେଖନୀୟ ଭୂମିକା ଓ କବିତାରେ ଶାଣିତ ଦୃଷ୍ଟିଭଙ୍ଗୀ ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ସେ ବେଶ୍ ଚର୍ଚ୍ଚିତ ଥିଲେ ।