ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ସ୍ପଷ୍ଟି କରଣରେ ଦର୍ଶାଇଛନ୍ତି ଯେ, ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପି ପ୍ରାର୍ଥୀ । କିନ୍ତୁ ବିଜେଡି ତାଙ୍କୁ ସମର୍ଥନ ଜଣାଉଛି ।
ସୂଚନା ଅନୁଯାୟୀ ଉଭୟ ବିଜେଡି ଓ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ । ଏଥିରେ ସାଧାରଣରେ ନାନା ପ୍ରଶ୍ନ ଉଠିଥିଲା । ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ରାଜ୍ୟ ରାଜନୀତିରେ ହଠାତ୍ ଏଭଳି ମାହୋଲ ସୃଷ୍ଟି ହୋଇଥିଲା ଯେ, ରାଜନୈତିକ ବିଶଷଜ୍ଞମାନେ ମଧ୍ୟ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇପାରି ନଥିଲେ । ଘଟଣାଟି ଏମିତି ଥିଲା ଯେ, ପ୍ରଥମେ ବିଜେପି ନିଜ ଅଫିସିଆଲ୍ ଟ୍ୱିଟ୍ ଆକାଉଣ୍ଟରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ମଧ୍ୟ ତାଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଥିଲା । ଏହି ଘଟଣା ପ୍ରଚାରିତ ହେବାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଶ୍ୱିନୀ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ ।
ନୀବନ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହ ରାଜ୍ୟସଭା ଉପନିର୍ବାଚନ ନେଇ ଆଲୋଚନା କରିଥିଲେ ।
