କନ୍ଦରପୁର ଅଞ୍ଚଳର ଦିଲ୍ଲୀପ କୁମାର ସାହୁ । ଯିଏ ଏହି ସମବାୟ ସମିତିରେ ପାଖାପାଖି ୪ ଲକ୍ଷ ଟଙ୍କା ଜମା କରିଥିଲେ । ହେଲେ ଯେତେବେଳେ ସେ ଟଙ୍କା ଉଠେଇବାକୁ ଆସିଥିଲେ ସେତେବେଳେ ତାଙ୍କ ଆକାଉଣ୍ଟରେ ମାତ୍ର ୨୦ ହଜାର ଟଙ୍କା ଥିଲା । ବାକି ୩ ଲକ୍ଷ ୮୪ ହଜାର ୧୬୮ ଟଙ୍କା ଗାୟବ ହୋଇଗଲା । କେବଳ ଦିଲ୍ଲୀପ ଜଣେ ନୁହଁନ୍ତି ପାଖାପାଖି ୧୬୦ ଜଣ ଜମାକାରୀଙ୍କ କୋଟିଏ ଟଙ୍କା ଏହି ସମବାୟ ସମିତିରୁ ଗାୟବ ହୋଇଛି ।
ନିଜ ଜମା ଟଙ୍କା ପାଇବା ପାଇଁ ଦୀର୍ଘ ୯ ମାସରୁ ଦୌଡି ଦୌଡ଼ି ନୟାନ୍ତ ହେଲେଣି ଜମାକାରୀ । ହେଲେ ଟଙ୍କା ମିଳିବା ତ ଦୂରର କଥା ଅଧିକାରୀ ଦେଇଥିବା ପ୍ରତିଶ୍ରୁତିର ପାଳନ କରାଯାଉନାହିଁ । ଶେଷରେ ନିଜର ଜମା ଟଙ୍କା ନମିଳିବାରୁ ସମବାୟ ସମିତି କାର୍ଯ୍ୟାଳୟର ବାହାରେ ପଟୁ ତାଲା ପକେଇ ଧାରଣାରେ ବସିଛନ୍ତି ଜମାକାରୀମାନେ ।
ଏହି ସମବାୟ ସମିତିରେ କିଏ ଚାଷ କରିବା ପାଇଁ ଟଙ୍କା ଜମା କରିଛନ୍ତି ତ ଆଉ କିଏ ଛୋଟ ବ୍ୟବସାୟ କରିବା ପାଇଁ ଟଙ୍କା ଜମା କରିଛନ୍ତି ତ୍ ଆଉ କିଏ ନିଜ ଝିଅ ବାହାଘର ପାଇଁ ଟଙ୍କା ଜମା କରିଛନ୍ତି। ତେବେ ନିଜ ଜମା ଟଙ୍କା ନମିଳିଲେ କିଏ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି ତ୍ ଆଉ କିଏ ନବୀନ ନିବାସ ଘେରାଉ କରିବା ପାଇଁ ଚେତାବନୀ ଦେଉଛନ୍ତି। ଏଠି ପାଖାପାଖି ୫୦୦ ଜଣ ଗରିବ, ଖଟିଖିଆ, ଦିନ ମଜୁରିଆ ଚାଷୀ ନିଜ ଟଙ୍କା ଜମା କରିଛନ୍ତି। ଏହି ଖବର ପ୍ରଘଟ ହେବା ପରେ ଗତ ୯ ମାସ ପୂର୍ବରୁ ଟଙ୍କା ମିଳିଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା ।
ହେଲେ ଏ ପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତିର ପାଳନ କରାଗଲା ନାହିଁ। ଢହ ଢହ ଖରାରେ ସକାଳ ୧୦ ଟା ରୁ ଜମାକାରୀମାନେ ନିଜ ଜମା ଟଙ୍କା ପାଇବା ପାଇଁ ଧାରଣାରେ ବସିଛନ୍ତି। ସେପଟେ ଖବର ପାଇ ଧାରଣା ସ୍ଥଳରେ ପହଞ୍ଚି ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ଉଦ୍ୟମ କରାଯିବା ସହ ଯିଏ ବି ଘୋଟାଲା କରିଛି ତା ବିରୋଧରେ ଏତଲା ଦିଆଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଏଆରସିଏସ।
କିଏ ଖାଇଲା ଗରିବଙ୍କ ଟଙ୍କା ? କେବଳ ପ୍ରତିଶ୍ରୁତି ଦିଆଯାଇ ଗରିବ ଜମାକାରୀଙ୍କୁ କିଏ ଭୁଆଁ ବୁଲାଉଛି ? ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନିଜ ଜିଲ୍ଲାରେ ଏଭଳି ଘୋଟାଲା ହୋଇଥିବା ବେଳେ କାହିଁକି ମୁହଁ ବନ୍ଦ କରି ବସିଛନ୍ତି ମନ୍ତ୍ରୀ ?