କିନ୍ତୁ ପ୍ରାଣୀ ବିଶେଷଜ୍ଞଙ୍କ ମତ ଏ ଶୁଆ କୋକୋ ନୁହେଁ !
ଏହା ଫେକ୍ କୋକୋ !
ଆଇନ୍ କହୁଛି ଭାରତୀୟ ପ୍ରଜାତୀର ବନ୍ୟ ଶୁଆ ଘରେ ରଖିବା ଅନୁଚିତ୍। ଏଗୁଡିକୁ ଆପଣ ରଖିଲେ ଦଣ୍ଡନୀୟ ଅପରାଧର ଭାଗି ହେବେ। ଯେ କୌଣସି ଭାରତୀୟ ଶୁଆକୁ ପଞ୍ଜୁରୀ ଭିତରେ ଆବଦ୍ଧ କରି ରଖିବା ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଗୁରୁତ୍ୱପୂର୍ଣ୍ଣ ଧାରା ୯ର ଉଲ୍ଲଙ୍ଘନ । ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।
ସେହି କ୍ରମରେ ବଜାରରେ ମିଳୁଥିବା ବିଦେଶୀ ପ୍ରଜାତୀର ଶୁଆ ରଖିବା ସେଭଳି କୌଣସି ଦଣ୍ଡନୀୟ ଅପରାଧ ପର୍ଯ୍ୟାୟଭୁକ୍ତ ହେବ ନାହିଁ। କିନ୍ତୁ ଅଧ୍ୟାପିକା ମହୋଦୟା ଯେଉଁ ଶୁଆ ରଖିଥିଲେ ତାହା ସମ୍ପୁର୍ଣ୍ଣ ଭାରତୀୟ ପ୍ରଜାତୀର।
ଗତକାଲି ବନ ବିଭାଗ ପକ୍ଷରୁ ପାତ୍ରପଡାରେ ଯେଉଁ ଶୁଆ ଛଡାଗଲା, ତାହା Ring necked parakeet ନାମକ ଭାରତୀୟ ପ୍ରଜାତିର ଶୁଆ। ଯାହାକୁ କଟକରେ ସୁସ୍ମିତାଙ୍କ ଘର ଭିତରେ ଥିବା ଏକ ପଞ୍ଜୁରୀ ମଧ୍ୟରୁ ବନ୍ଦୀ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା ।
କିନ୍ତୁ ଯେଉଁ ଶୁଆଟିର ଭିଡ଼ିଓ ଗଣମାଧ୍ୟମ ଜରିଆରେ ଭାଇରାଲ ହେଇଥିଲା, ତାହା ସମ୍ପୁର୍ଣ୍ଣ ଭିନ୍ନ। ତାହା ଏକ Alexandrine ଶୁଆ(ବିରଳ ଭାରତୀୟ ପ୍ରଜାତୀ ବା ଟିଆ ଶୁଆ) ଥିଲା । ନିଜେ ସୁସ୍ମିତା ଜାରି କରିଥିବା ପୋଷ୍ଟରରେ ତାଙ୍କର ନିଖୋଜ ଶୁଆର ଡେଣାରେ ନାଲି ଦାଗ ଥିବା କଥା ଉଲ୍ଲେଖ କରିଥିଲେ। ହେଲେ ତାଙ୍କ ଘରୁ ଜବତ ହେଇଥିବା ଶୁଆ ଡେଣାରେ ସେଇ ନାଲି ଦାଗ ନ ଥିଲା । ଅର୍ଥାତ ସୁସ୍ମିତାଙ୍କ ଘରୁ ଉଡି ଯାଇଥିବା ଶୁଆ କୋକୋ ଓ ଜବତ ହୋଇ ଭୁବନେଶ୍ୱରରେ ଛଡ଼ା ଯାଇଥିବା ଶୁଆ ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ ।
ଏବେ ପ୍ରଶ୍ନ ଅସଲ କୋକୋ କେଉଁଠି ଅଛି ?
ଆଉ ଏ ଯେଉଁ ଶୁଆ ମିଳିଲା ତାହା ଭିତରେ ତଫାତ୍ କ’ଣ ?
Alexandrine ପ୍ରଜାତୀର ଶୁଆକୁ ଆମ ଭାଷାରେ ଟିଆ ଶୁଆ ବୋଲି କୁହାଯାଏ। ଏଗୁଡିକ ସହଜରେ ଧରା ଦିଅନ୍ତି ନାହିଁ କିମ୍ବା ପୋଷା ମାନନ୍ତି ନାହିଁ। ପ୍ରବଳ ଧାନ ଖାଆନ୍ତି। କିନ୍ତୁ Rose Ring parakeet ବା Ring necked parakeet ହେଉଛି ଅନ୍ୟ ଏକ ପ୍ରଜାତୀର ମାଈ ଶୁଆ।
ଏଣୁ ସଂଯୋଗ ବଶତଃ ଏହା ଉଡିଆସିଛି ନା ଅଧ୍ୟାପିକାଙ୍କ ଘରେ ଏ ଶୁଆଟି ପୂର୍ବରୁ ରହିଥିଲା ତାହା ତଦନ୍ତ ସାପେକ୍ଷ।
ନଗର ବନଖଣ୍ଡ ଏସିଏଫ ବିଜୟ କୁମାର ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି "ଆମେ ଯେଉଁ ଶୁଆଟି କଟକରୁ ଜବତ କରି ଭୁବନେଶ୍ୱରରେ ଛାଡିଲୁ ତାହା ଏକ Ring necked ଶୁଆ । ଯେଉଁ କୋକୋ ଫୋଟୋ ପୋଷ୍ଟରରେ ଦିଆଯାଇଥିଲା ତାହା ଏଇ ଶୁଆ ନୁହେଁ । ଆମେ ତଦନ୍ତ କରୁଛୁ। ସମ୍ପୃକ୍ତ ଭଦ୍ର ମହିଳାଙ୍କୁ ପଚରାଉଚରା କରାଯିବ।
ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଆଇନ୍ ଅନୁସାରେ ଶୁଆକୁ ପଞ୍ଜୁରୀ ଭିତରେ ରଖିଥିବା ଅପରାଧରେ ଭଦ୍ର ମହିଳାଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିବା କଥା । ବନ୍ୟପ୍ରାଣୀ ଆଇନରେ ଅଭିଯୁକ୍ତଙ୍କୁ ଜାମିନ ଦେବାର ଅଧିକାର କୌଣସି ବନ ଅଧିକାରୀଙ୍କର ନାହିଁ ।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୮ ତାରିଖରେ କଟକ ତୁଳସୀପୁର ଅଧ୍ୟାପିକା ସୁସ୍ମିତା ବେହେରାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିବା ଶୁଆଟିକୁ ପାତ୍ରପଡା ସ୍ଥିତ ମେଡିସିନାଲ ଗାର୍ଡେନ ରେ ଛଡ଼ା ଯାଇଛି । ଏହି ସମୟରେ କଟକ ରେଞ୍ଜ ଅଫିସର ଦୁର୍ଗା ଚରଣ ସାହୁ, ନଗର ବନଖଣ୍ଡର ଏସିଏଫ ବିଜୟ କୁମାର ପରିଡା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧ ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ଏକାମ୍ର ଆନିମଲ ୱେଲଫେୟାର ଟ୍ରଷ୍ଟ ର ପୁରବୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।