ବିଧାନସଭା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରୁଛନ୍ତି କି ନାହିଁ ସ୍ପଷ୍ଟ ନକରି ବିଜେପି ରାଜ୍ୟ ସଭାପତି ଗଣମାଧ୍ୟମ ରିପୋର୍ଟ ଆଧାରରେ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି । ଟୁଇଟ କରି ଶ୍ରୀ ମହାନ୍ତି ବିଜେପି ରାଜ୍ୟ ସଭାପତିଙ୍କ ଟୁଇଟର ରଖିଛନ୍ତି ଜବାବ ।
ମାତ୍ର ବିଜେପି ରାଜ୍ୟ ସଭାପତି ତାଙ୍କ ଟୁଇଟରେ ପ୍ରକାଶିତ ଖବର ଯଦି ସତ ହୋଇଥାଏ ଚିନ୍ତାଜନକ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସତ ନା ମିଛ ନକହି ବିଜେଡି କଣ ଲୁଚାଇବାକୁ ଚାହୁଁଛି ବୋଲି ଉଠିଛି ପ୍ରଶ୍ନ ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ କରି କହିଥିଲେ ଯେ, ବିଧାନସଭା ହେଉଛି ସାଢ଼େ 4 କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର । ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ । ସଂଘୀୟ ବ୍ୟବସ୍ଥାରେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବେଳେ ପ୍ରତ୍ୟେକ୍ଷ ଭାବରେ ଗୃହରେ ରହିବା ଉଚିତ୍ ।
ମୁଖ୍ୟମନ୍ତ୍ରୀ ବିଧାନସଭାର ମୂଲ୍ୟବୋଧ ଓ ଗୁରୁତ୍ୱକୁ ବୁଝି ନିଜ ବିଦେଶ ଗସ୍ତକୁ ମୌସୁମୀ ଅଧିବେଶନ ପୂର୍ବରୁ କିମ୍ବା ପରେ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ଅନୁପସ୍ଥିତ ରହିବା ଗ୍ରହଣୀୟ ନୁହେଁ । ବିଦେଶ ଗସ୍ତ କରି ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେଲେ ଓଡ଼ିଶାର ସ୍ୱାର୍ଥ ସାଧନ ହୋଇପାରିବ ନାହିଁ ବୋଲି ସେ ଅନୁଭବ କରୁଥିବା କହିଥିଲେ ।
ମହାମାରୀ କରୋନା ସମୟରେ ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର ବ୍ୟବସ୍ଥା ହୋଇଥିଲା । ମାତ୍ର ସାମାନ୍ୟ ପରିସ୍ଥିତିରେ ବିଦେଶ ଗସ୍ତ କରି ଭର୍ଚୁଆଲରେ ଯୋଡିହେବା ପରମ୍ପରା ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେତେ ଠିକ୍ ତାକୁ ନେଇ ଉଠିଛି ପ୍ରଶ୍ନ ।