ଚାଷୀଙ୍କ ପିଛା ଛାଡୁନି ସମସ୍ୟା । କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ଝଡ ବାତ୍ୟା ଆଉ ଏବେ କୋରୋନା ଦାଉ ସାଧୁଛି ଚାଷୀଙ୍କ ଉପରେ । କୋରୋନା ପାଇଁ ଚାରିଆଡେ ଲକ ଡାଉନ ଥିବାବେଳେ ସୁନ୍ଦରଗଡ ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅର୍ଥକାରୀ ଫସଲ ତରଭୁଜ ବିକ୍ରି କରିପାରୁନାହାନ୍ତି ଚାଷୀ । ଫଳରେ ବିଲରେ ତରଭୁଜ ରହି ସବୁ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଏବେ ତରଭୁଜ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡି ଯାଇଛି ଶହ ଶହ ଏକର ତରଭୁଜ ଫସଲ ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି କୋରୋନା । ସମଗ୍ର ଦେଶ ଲକ ଡାଉନରେ ଥିବାବେଳେ ବନ୍ଦ ରହିଛି ତରଭୁଜ ବିକ୍ରି । ହିଲୁଙ୍ଗ, କୃଷ୍ଣପାଲି, ବାଗବର, ଦୁହୁଲପାଲି ଗାଁର ଚାଷୀ ତରଭୁଜ ଚାଷ ଉପରେ ନିର୍ଭର କରିଥାନ୍ତି । ହେଲେ ତାଲା ବନ୍ଦ ଯୋଗୁଁ ବାହାର ରାଜ୍ୟରୁ ନା ବେପାରୀ ଆସୁଛନ୍ତି ନା ଗାଡି ମୋଟର ଆସିପାରୁଛି । ଫଳରେ ତରଭୁଜ ବିକ୍ରି ପାରୁନାହାନ୍ତି ଚାଷୀ । ଖାଲି ସେତିକି ନୁହେଁ, ଦୋକାନ ବଜାର ବନ୍ଦ ଥିବାରୁ ନିକଟସ୍ଥ ବଜାରରେ ମଧ୍ୟ ବିକ୍ରି ବଟା ହୋଇପାରୁନାହିଁ । ଏବେ ତରଭୁଜ ସବୁ ବିଲରେ ପଡି ନଷ୍ଟ ହେବାକୁ ବସିଲାଣି । ହଜାର ହଜାର ଟଙ୍କା ଖର୍ଚ୍ଚ କରି, ମୁଣ୍ଡ ଝାଳ ତୁଣ୍ଡରେ ମାରି ତରଭୁଜ ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ବଡ ବଡ ତରଭୁଜ ସବୁ ଖରାରେ ସିଝି ପଚିବାକୁ ବସିଲାଣି । କିଛି ଚାଷୀ କ୍ଷେତରେ ଗାଈଗୋରୁ ମଧ୍ୟ ଛାଡିବାକୁ ବାଧ୍ୟ ହେଲେଣି ।
ଜିଲ୍ଲାର ବିଭିନ୍ନ ଭାଗରେ ପ୍ରାୟ 25 ଶହ ଏକର ଜମିରେ ଚାଷ ହୋଇଥିବା ତରଭୁଜ ଏବେ ବିକ୍ରି ଅଭାବରୁ ନଷ୍ଟ ହେବାକୁ ବସିଛି । ସେଥିମଧ୍ୟରୁ କେବଳ ବୀରମହାରାଜପୁର ଅଞ୍ଚଳରେ 2 ହଜାର ଏକର ହେବ । ଏହି ମାଟିରେ ଉଚ୍ଚମାନର ତରଭୁଜ ହେଉଥିବାରୁ ବାହାର ଯଥା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟର ବେପାରୀ ଏଠାରୁ ତରଭୁଜ ନେଉଥିଲେ । ମାତ୍ର କୋରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଛି । ତେଣୁ କୌଣସି ବ୍ୟବସାୟୀ ଆସୁ ନାହାଁନ୍ତି କିମ୍ବା ଗାଡିମଟର ଚଳାଚଳ କରୁନାହିଁ ।
ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । କିଭଳି ନିଜ ଖର୍ଚ୍ଚ ବାହାର କରିବ ସେନେଇ ଚିନ୍ତାରେ । ଏଥିପ୍ରତି ସରକାର ପଦକ୍ଷେପ ନେବା ସହ କ୍ଷତି ପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଅପରପକ୍ଷେ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରି ଚାଷୀଙ୍କ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର । ଅର୍ଥକାରୀ ଫସଲ ତରଭୁଜ ଚାଷ କରିଥିବା ଚାଷୀମାନେ କରଜ କିପରି ସୁଝିବେ ଏବଂ ପରିବାର କିପରି ଚଳାଇବେ, ତାକୁ ନେଇ ଏବେ ଚିନ୍ତାରେ ଅଛନ୍ତି । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।
