ଅଧିକ ପଢନ୍ତୁ : ଏସସିବି ମେଡିକାଲରେ କୋଭିଡ ମଗଡ୍ରିଲ ପ୍ରସଙ୍ଗ
କୋଭିଡ୍ ମୁକାବିଲା ପାଇଁ ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ମକଡ୍ରିଲ । ସରକାରୀ ହସ୍ପିଟାଲଠୁ ଘରୋଇ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ମକଡ୍ରିଲ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆଜି ମକ ଡ୍ରିଲ୍ କରାଯାଉଥିବା ବେଳେ ଆସନ୍ତା କାଲି ବି କରାଯିବ । ହସ୍ପିଟାଲ ଗୁଡିକରେ ବେଡ, ଆଇସିୟୁ ବେଡ, ଅକ୍ସିଜେନ, ସପୋର୍ଟ ସିଷ୍ଟମ, ଉପକରଣ, ଔଷଧ, ପିପିଇ କିଟ୍ କେତେ ମହଜୁଦ ଅଛି ତାର ତଦାରଖ କରାଯାଉଛି । କଟକ ଏସସିବି ହସ୍ପିଟାଲରେ 20 ଶଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି । ହସ୍ପିଟାଲରେ 2 ଟି ICU ବେଡ଼ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ବ୍ୟତୀତ 24 ଘଣ୍ଟିଆ ଖୋଲା ରହୁଥିବା ଫିବର କ୍ଲିନିକ କାର୍ଯ୍ୟକ୍ଷମ ରହିଛି । ରାଜଧାନୀରେ କୋଭିଡ୍ ସ୍ଥିତିକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ । ସେପଟେ ରାଜ୍ୟରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବଢୁଛି । ତେବେ ଗତ କିଛି ଦିନ ହେବ ସଂକ୍ରମଣ ସ୍ଥିର ରହିଛି । ମେଡ଼ିକାଲରେ ମାତ୍ର ୧୨ ଜଣ ରହିଥିବା ବେଳେ ଗତକାଲି ୧୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଥିଲେ ତୁରନ୍ତ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
କୋରୋନାର ଉର୍ଦ୍ଧମୁଖା ରୂପ ଦେଖି ଟୀକାକରଣ ବୃଦ୍ଧି ପାଇଁ ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ନୂଆ ଲହର ଆସିବା ଆଶଙ୍କା କରିଛନ୍ତି ‘ହୁ’ ର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୩ଟି ରାଜ୍ୟରେ କରୋନା କଟକଣା ଫେରିଛି । ହରିୟାଣା ସରକାର ରାଜ୍ୟରେ ସର୍ବସାଧାରଣ ସ୍ଥଳରେ ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ହରିୟାଣା ସ୍କୁଲରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିପରି କେରଳରେ ମଧ୍ୟ ଗର୍ଭବତୀ ଏବଂ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପୁଡ଼ୁଚେରୀ ପ୍ରଶାସନ ବି ମାସ୍କ ବାଧ୍ୟତାମୂଳକ କରିଛନ୍ତି ।