ଭୁବନେଶ୍ୱର: ରାଜ୍ୟରେ ବିଗୁଡୁଛି କୋରୋନା ସ୍ଥିତି । ଲଗାତାର ଦୁଇ ଦିନ ହେଲା ଦୈନିକ 400 ପାର୍ ରହୁଛି ସଂକ୍ରମଣ ସଂଖ୍ୟା । । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୭ ଜିଲ୍ଲାରୁ ୪୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଚଳିତବର୍ଷର ସବୁଠୁ ରେକର୍ଡ ସଂକ୍ରମଣ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ଟି ମାମଲା କ୍ୱାରେଣ୍ଟାଇନରୁ ଥିବାବେଳେ ୧୯୩ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।
ଅନୁଗୁଳରୁ ୧୦ ଜଣ, ବାଲେଶ୍ୱରରୁ ୧୫ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗିରରୁ ୩୬ ଜଣ, କଟକରୁ ୨୨ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲା ଅଧିକ ଚିନ୍ତା ବଢାଇଛି । ଓଡିଶା-ଛତିଶଗଡ଼ ସୀମାବର୍ତ୍ତୀ 8ଟି ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ । ଖାସ କରି ସୁନ୍ଦରଗଡ, କଳାହାଣ୍ଡି, ବରଗଡ଼, ଝାରସୁଗୁଡା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ଏହି ଜିଲ୍ଲାମାନଙ୍କରେ ସଂକ୍ରମଣ କମାଇବାକୁ ପଦକ୍ଷେପ ନିଆଯାଉଛି । 10ଟି ଜିଲ୍ଲାରେ ଆସନ୍ତାକାଲିଠୁ ନାଇଟ କର୍ଫ୍ୟୁ ଲାଗୁ ହେବ । ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, କଳାହାଣ୍ଡି, ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି, ବରଗଡ ବଲାଙ୍ଗୀର, କୋରାପୁଟ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି ।
ରାତି 10ରୁ ସକାଳ 5ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ନାଇଟ କର୍ଫ୍ୟୁବେଳେ ଶିଳ୍ପ କାରଖାନା ଖୋଲା ରହିବ, ମେଡିକାଲ ଓ ଜରୁରୀ କାମରେ ଯିବାକୁ ଅନୁମତି, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପେଟ୍ରୋଲ ପମ୍ପ, CNG ସେଣ୍ଟର ଖୋଲା ରହିବ, ଖାଦ୍ୟ ପଦାର୍ଥର ହୋମ ଡେଲିଭରିକୁ ଅନୁମତି, ଢାବା ଓ ରେସ୍ତୋରାଁରୁ ପାର୍ସଲ ନେଇ ହେବ, ପରିଚୟପତ୍ର ଦେଖାଇ ଯାତାୟାତ କରିବେ ଗଣମାଧ୍ୟମ ପ୍ରତିନିଧି ।