ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ), ଏନଆରସି ଏବଂ ଏନପିଆର ପ୍ରତ୍ୟାହାର ଦାବିରେ ସିପିଆଇ(ଏମ୍) ପକ୍ଷରୁ ଭୁବନେଶ୍ୱରରେ ଏକ ରାଜ୍ୟ ସ୍ତରୀୟ ସମାବେଶ ଜାନୁଆରୀ 16ରେ ଅନୁଷ୍ଠିତ ହେବ । ଏନେଇ ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଆଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏନେଇ ଆୟୋଜିତ ଏକ ବୈଠକରେ ନାଗରିକତା ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ ଏବଂ ଏହାଦ୍ୱାରା ସିମ୍ବିଧାନର ଧାରା 14 ଓ 15 ଅନୁଯାୟୀ ସମାନତା ଅଧିକାର କ୍ଷୂର୍ଣ୍ଣ ହେବ ବୋଲି କହିଛି ସିପିଆଇ(ଏମ୍) । ଏହାସହ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀମାନଙ୍କୁ ଧର୍ମ ଆଧାରରେ ସେମାନଙ୍କୁ ନାଗରିକତା ପ୍ରଦାନ କରାଗଲେ ସେମାନଙ୍କୁ କେଉଁଠି ଥଇଥାନ କରାଯିବ ବୋଲି ପଚାରିବା ସହ ରାଜ୍ୟରେ ଆଦିବାସୀମାନଙ୍କୁ ଏପର୍ଯ୍ୟନ୍ତ ଜମି ଜମା ଏବଂ ପଟା ପ୍ରାଦାନରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛି ସିପିଆଇ(ଏମ୍) ।
ତେବେ ସିଏଏ, ଏନଆରସି ଏବଂ ଏନପିଆର ପ୍ରତ୍ୟାହାର ଦାବି କରି ଏକ ରାଜ୍ୟ ସ୍ତରୀୟ ସମାବେଶ କରିବ ବୋଲି କମିଟିର ସମ୍ପାଦକ କହିଛନ୍ତି । ତେବେ ଆଜିର ଏହି ବୈଠକରେ ସଂପାଦକଙ୍କ ସମେତ ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ ଏବଂ ପୁଷ୍ପା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ‘ନାଗରିକତା ସଂଶୋଧନ ଆଇନ: ସମ୍ବିଧାନ ବିରୋଧୀ’ ଶୀର୍ଷକ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି ।
