ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ । ଟିକିଏ ଭଲ ପାଇବାରେ ହିଁ ସମ୍ପର୍କ ମଧୁର ଆଉ ଦୀର୍ଘସ୍ଥାୟୀ ହୁଏ । ତେବେ ସେହି ସମ୍ପର୍କର ଡୋର ଛିଣ୍ଡାଇ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ମିଆଁଉ । ଆଉ ସେ ଚାଲିଯିବା ପରେ ଦଶାହ କ୍ରିୟା କରାଯାଇଛି । ଏଭଳି ଏକ ନିଆରା ଭଲପାଇବାର କାହାଣୀ ଆସିଛି କଟକ ସହରର ସାମନ୍ତସାହିରୁ । ଯାହାକୁ ଦେଖିବା ପାଇଁ ଜମି ଯାଇଥିଲା ଲୋକଙ୍କ ଭିଡ଼ । ବିଲେଇ ପ୍ରତି ମଣିଷଙ୍କ ଏପରି ପ୍ରେମ ଓ ସ୍ନେହ ଦେଖି ଭାବ ବିହୁଳ ହୋଇଗଲେ ଜନସାଧାରଣ । କଟକ ସହରର ସାମନ୍ତସାହି ଅଞ୍ଚଳରେ ଏ ଦୃଶ୍ୟ ଦେଖିବାକୁ ମିଳିଛି ।
ଦୀର୍ଘ ୫ ବର୍ଷ ଧରି ମିଆଁଓକୁ ଆଦର ଓ ସ୍ନେହ ସହ ତାର ଲାଳନ ପାଳନ କରୁଥିଲେ ସାମନ୍ତ ସାହି ଅଞ୍ଚଳର ପାନ ଦୋକାନୀ ଆକାଶ ବର୍ମା । ସକାଳୁ ରାତି ଯାଏ ଏହି ବ୍ୟବସାୟୀଙ୍କ ଦୋକାନ ଆଗରେ ମିଆଁଉର କଟୁଥିଲା ଦିନ । ଆଉ ଏହାରି ଭିତରେ ମିଆଁଉ ଓ ବ୍ୟବସାୟୀଙ୍କ ଭିତରେ ଗଢି ଉଠିଥିଲା ସ୍ନେହ ଓ ମମତାର ସଂପର୍କ । ତେବେ ମିଆଁଉର ଅକାଳ ମୃତ୍ୟୁରେ ସାମନ୍ତ ସାହିରେ ଶୋକର ଛାୟା ଖେଳିଯାଇଛି । ମିଆଁଉ ସହ ସ୍ନେହ ଓ ମମତାର ସଂପର୍କ ଭିତରେ ବାନ୍ଧି ହୋଇଥିବା ପାନ ଦୋକାନୀ ତାର ଆତ୍ମାର ଶାନ୍ତି ନିମନ୍ତେ ଦଶାହ କ୍ରିୟା ପାଳନ କରିଛନ୍ତି ।