ଅର୍ଗସ ବ୍ୟୁରୋ : କଟକରେ ଜମୁଛି ଦଶହରା ମାହୋଲ । ପୂଜା ମଣ୍ଡପ ଗୁଡିକରେ ଶେଷ ହେଲାଣି ପ୍ରସ୍ତୁତି । ଆସନ୍ତାକାଲି ଠାରୁ ସିଧାସଳଖ ମା ଜଗତଜନନୀଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । 52 ବଜାର 53 ଗଳିର ସହରରେ ଚଳିତ ଥର ଆଲୋକମାଳାରେ ସଜେଇ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଥିବା ବେଳେ ଆକର୍ଷଣୀୟ ତୋରଣରେ ଝଲଶୁଛି ପୂଜା ମଣ୍ଡପ । ଚଳିତ ଥର ସହରରେ 175 ରୁ ଉର୍ଦ୍ଧ୍ବ ମେଢ଼ ତିଆରି ହୋଇଥିବା ବେଳେ ସେଥିରୁ 28 ଟି ଚାନ୍ଦୀ ମେଢ଼ ରହିଛି । ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମଣ୍ଡପରେ ମାଙ୍କ ପୂଜା ହେବ ଓ ଏକାଦଶୀ ଦିନ ଭସାଣୀ ଶୋଭାଯାତ୍ରାର ଆୟୋଜନ କରାଯିବ। ଶାନ୍ତି ଶୃଙ୍ଖଳା ସହ ଏହି ଭାଇଚାରାର ସହରରେ ଦଶହରା ପାଳନ ପାଇଁ ଲକ୍ଷ୍ୟ ରଖିଛନ୍ତି ସବୁ ପୂଜା କମିଟି । ମିଠା ଭୋଗ, ମାଛ ଭୋଗ ସହ ଦହି ପଖାଳ ଭୋଗ କରିବା ପାଇଁ ଯୋଜନା କରିଛନ୍ତି ସମସ୍ତ ପୂଜା କମିଟି। ଚଳିତ ଥର କଟକଣା ଉଠି ଥିବାରୁ ଲୋକଙ୍କ ସମାଗମ ଅଧିକ ହେବ । ତେବେ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ମୁତାବକ ପୂଜା କରାଯିବ ବୋଲି କହିଛନ୍ତି ବିଭିନ୍ନ ପୂଜା କମିଟି ସଦସ୍ୟ ।
ସେପଟେ ପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏ ନେଇ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରକୁ ଜଗିବେ ୫୫ ପ୍ଳାଟୁନ ପୋଲିସ ଫୋର୍ସ । ଏହା ସହ ୬ ଜଣ ଅତିରିକ୍ତ ଡିସିପି ରାଙ୍କ ଅଧିକାରୀ, ୪୦ ଡିଏସପି ରାଙ୍କ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର, ୨୯୭ ଜଣ ଏଏସଆଇ, ୮୪ ଜଣ ହାବିଲଦାରଙ୍କ ସମେତ ଟ୍ରାଫିକ ପୋଲିସ ଓ ହୋମଗାର୍ଡ ମୁତୟନ ରହିବେ।
ଏହା ବ୍ୟତୀତ QAT, ATS, Striking ଫୋର୍ସ ମଧ୍ୟ ମୁତୟନ ରହିବେ । ତେବେ ପୂଜା ସମୟରେ ୩୧ ଟି ଏଡ ପୋଷ୍ଟ କରାଯିବା ସହ ଭସାଣୀ ପାଇଁ ଅତିରିକ୍ତ ୧୪ ଟି ଏଡ ପୋଷ୍ଟ କରାଯିବ । ରାତି ୧୨ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇଟ ଓ ସାଉଣ୍ଡ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ ଆଇନ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।