କଟକ: କଟକ ନାବାଳିକା ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଗିରଫ । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି କଟକ ଡିସିପି । ଅଭିଯୁକ୍ତଙ୍କଠୁ ଜବତ ୩ ମୋବାଇଲକୁ ଫରେନସିକ ଲ୍ୟାବ ପଠାଯାଇଛି । ସେହିପରି ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସରିଛି । ଖୁବଶୀଘ୍ର ଚାର୍ଜସିଟ ଦାଖଲ କରିବା ନେଇ ସୂଚନା ଦେଇଛି ପୋଲିସ । ସେହିପରି ଚିକେନ ସେଣ୍ଟରରେ ପହଞ୍ଚି ଫରେନସିକ ଟିମ ତଦନ୍ତ କରିଛି ।
ସେପଟେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଗିରଫ ହୋଇଥିବାରୁ ଟ୍ୱିଟ କରି କଟକ ପୋଲିସକୁ ପ୍ରଂଶସା କରିଛନ୍ତି ପୋଲିସ କମିଶନର । ଶୀଘ୍ର ତଦନ୍ତ ସାରି ଅଭିଯୋଗ ପତ୍ର ଦାଖଲ କରିବାକୁ ଟ୍ୱିଟ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ସିପି । ସେ କହିଛନ୍ତି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସମସ୍ତ ଉଦ୍ୟମ କରାଯିବ । ଗତ ୧୩ ତାରିଖ ରାତିରେ କଟକ ଗତିରାଉତପାଟଣାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ୨୨ ଦିନ ଧରି ନାବାଳିକାଙ୍କୁ ଗୋଟିଏ ଘରେ ବନ୍ଦୀ କରି ହୋଇଥିଲା ଦୁଷ୍କର୍ମ । ନାବାଳିକା ଜଣଙ୍କ ରାସ୍ତାକଡ଼ରେ ଠିଆ ହୋଇ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ସେଠାରୁ ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।