ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡିସିନ ଦୋକାନୀ । ଲୋକଙ୍କ ବ୍ୟବହାର ଉପଯୋଗୀ ମାଉଥ ୱାସରେ ଭାସୁଛି ପୋକ । ଏଭଳି ସାଙ୍ଘାତିକ ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳ ନୁହେଁ, କଟକ ସହରର SCB ପରିସରରୁ ଆସିଛି । SCB ମେଡିକାଲ ପରିସରରେ ଥିବା ସାଇ ସଂଜୀବନି ମେଡ଼ିସିନ ଷ୍ଟୋର ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । କେବଳ ସେତିକି ନୁହେଁ ମେଡ଼ିସିନ ଷ୍ଟ୍ରିପରେ ଥିବା ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଏ ମେଡ଼ିସିନ ଷ୍ଟ୍ରିପରେ 100 ଟଙ୍କାର ମୂଲ୍ୟ ରହିଥିବା ବେଳେ ଦୋକାନୀ 109 ଟଙ୍କା ବିଲ୍ କରୁଥିବା ଗ୍ରାହକ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ କରିବା ସହ ଉକ୍ତ ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କେନ୍ଦ୍ରାପଡାର ଦୀପକ କୁମାର ଚୌଧୁରୀ ।
ସୂଚନା ଅନୁାସାରେ ଗତ 16 ତାରିଖରେ ଦୀପକ ଏବଂ ତାଙ୍କ ପତ୍ନୀ କେନ୍ଦ୍ରାପଡାରୁ କଟକ ବଡ଼ ମେଡିକାଲରେ ଗଳା ରୋଗର ଚିକିତ୍ସା ପାଇଁ ENT ବିଭାଗକୁ ଆସିଥିଲେ । ଚିକିତ୍ସା ପରେ ଡାକ୍ତର ତାଙ୍କୁ କିଛି ମେଡ଼ିସିନ ଲେଖିଥିଲେ । SCB କ୍ୟାମ୍ପସରେ ଥିବା ସାଇ ସଂଜୀବନି ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣିବା ପରେ ଏହି ଘଟଣା ସାମ୍ନା ଆସିଥିଲା । ସେପଟେ ମେଡିସିନ ଦୋକାନୀ କହିଛନ୍ତି କମ୍ପାନୀର ପ୍ରସ୍ତୁତ କରିବା ସମୟରେ ଭୁଲ ହୋଇଛି ଆମେ କଣ କରିପାରିବୁ । ସିଲ ମେଡ଼ିସିନ ଭିତରୁ ପୋକ ବାହାରିବା ଘଟଣା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଛି। ତେବେ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଅସଲ ଲୋକଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ, ତାହା ଉପରେ ସମସ୍ତଙ୍କ ନଜର ରହିଛି।