କଟକ: ସାମୟିକ ବନ୍ଦ ହେଲା କଟକ ସନ ହସ୍ପିଟାଲ । ଅଗ୍ନିକାଣ୍ଡ ଘଟଣାରେ ସନ୍ତୋଷଜନକ କାଗଜପତ୍ର ନମିଳିବାରୁ ହସ୍ପିଟାଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋକଜ ନୋଟିସ ମଗାଯାଇଥିଲା । ହେଲେ କର୍ତ୍ତୃପକ୍ଷ ଆବଶ୍ୟକ କାଗଜ ପତ୍ର ଦେଇ ପାରିନଥିଲେ ।
ତେଣୁ ସାମୟିକ ପାଇଁ ହସ୍ପିଟାଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଫେବୃଆରୀ ୧ ରେ ସନ ହସ୍ପିଟାଲରେ ଘଟିଥିଲା ଅଗ୍ନିକାଣ୍ଡ । ହସ୍ପିଟାଲର ଫାୟାର ସେଫ୍ଟି ଲାଇସେନ୍ସ ନଥିଲା । ନିୟମ ବାହାରକୁ ଯାଇ ପଞ୍ଚମ ମହଲାରେ ଚାଲିଥିଲା ଅଫିସ ଓ କ୍ୟାଣ୍ଟିନ ।
ସୂଚନାନୁସାରେ, କଟକ ବିଜୁ ପଟ୍ଟନାୟକ ଛକରେ ଥିବା ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ହସ୍ପିଟାଲର ଉପର ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା । ଉପର ମହଲାରେ ଅତ୍ୟନ୍ତ ଦହନଶୀଳ ଜିନିଷ ଥିବାରୁ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ହୁତୁ ହୁତୁ ହୋଇ ଜଳି ଉଠିଥିଲା ପୁରା ଉପର ମହଲା । ନିଆଁ ଅଲଗା ମହଲାକୁ ବ୍ୟାପିବା ପୂର୍ବରୁ ଚିକିତ୍ସାଧୀନ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।