ଅର୍ଗସ ବ୍ୟୁରୋ: ଅବପାତରେ ପରିଣତ ହେଲା ଆଣ୍ଡାମାନ ସାଗରରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପଶ୍ଚିମ , ଉତ୍ତର ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ-ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ। ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଆଶଙ୍କା। ଏସବୁ ଅଂଚଳରେ ଘଣ୍ଟାପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବ। ଓଡ଼ିଶାରେ ଏହାର ପ୍ରଭାବ ନଥିଲେ ବି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଜଳବାୟୁ ପରିବର୍ତ୍ତନ ପାଇଁ ବଙ୍ଗୋପସାଗରରେ ବାରମ୍ବାର ସୃଷ୍ଟି ହେଉଛି ସିଷ୍ଟମ । ଫଳରେ ଓଡ଼ିଶାକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହୋଇଛି । ଯାହା କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟକୁ ସକ୍ରିୟ ହେବାକୁ ଦେଉନାହିଁ । ଏହାର ପ୍ରଭାବରେ ଶୀତ ଲହରୀ ପରିବର୍ତ୍ତେ ସ୍ବାଭାବିକଠାରୁ ୪ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି । ପାଣିପାଗର ଏଭଳି ମିଜାଜ୍ ପାଇଁ ଚଳିତ ଡିସେମ୍ବର ମାସରେ ହାଡଭଙ୍ଗା ଶୀତ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଥିବା ବେଳେ ତାପମାତ୍ରା ଅଧିକ ରହୁଛି । ତେବେ ସମ୍ଭାବ୍ୟ ବାତ୍ୟା ମାଣ୍ଡୋସ୍ ପାଇଁ ଜାନୁୟାରୀରେ ସ୍ବାଭାବିକ ହେବ ତ ଶୀତ ?