କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହୋଇଥିଲା ଆମର ଯାତ୍ରା । ଆମ ଟିମ ପହଂଚିଥିଲା ନିୟମଗିରି ପାହାଡ ଉପରେ । ପାଖାପାଖି 5 କିଲୋମିଟର ପାହାଡ଼ ଚଢି କଳାହାଣ୍ଡି ଜିଲ୍ଲା ନିୟମଗିରି ପର୍ବତର ୩ଟି ଗାଁ କୁନାକଡୁ, ପାଲବେରୀ,ହର୍ଡ।ଗୁଡାରେ ପହଞ୍ଚିଥିଲା ଆମ ଟିମ। ଆଉ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ଏହି ୩ଟି ଅଞ୍ଚଳରେ ବିକାଶ ଏବେ ବି ଅପହଂଚ ।
ଏହାପରେ ଆମ ଟିମର ଯାତ୍ରା ଆରମ୍ଭ ହୋଇଥିଲା ରାୟଗଡା ଜିଲ୍ଲାକୁ । ସେଠାରେ ଥିବା ନିୟମଗିରି ଅଞ୍ଚଳର ବାକି ଡଙ୍ଗରିଆ କନ୍ଧଙ୍କ ତ୍ରି ସ୍ତରୀୟ ନିର୍ବାଚନ ପାଇଁ କେମିତି ରହିଛି ମୁଡ଼, ଜାଣିବାକୁ ଚେଷ୍ଟା କରିଥିଲୁ । ଗାଁକୁ ଯିବା ପାଇଁ ରହିଛି ଅଧା ପକ୍କା ରାସ୍ତା । ଡଙ୍ଗରିଆଙ୍କ ଜୀବନ ଯାପନରେ ପରିବର୍ତ୍ତନ ଆସିଛି ସତ ହେଲେ ଆଜି ବି ସେମାନେ ଅନେକ ମୌଳିକ ସୁବିଧାରୁ ବଂଚିତ ।
ଏଠି ବି ଦେଖିବାକୁ ମିଳିଥିଲା ନିର୍ବାଚନୀ ଲଢେଇ ଆଉ ପ୍ରଚାର । ପଂଚାୟତ ନିର୍ବାଚନରେ ଲଢ଼ୁଥିବ ସରପଂଚ ପ୍ରାର୍ଥୀଙ୍କ ଭିତରେ ଚାଲିଛି ଜୋରଦାର ପ୍ରତିଦ୍ବନ୍ଦ୍ବିତା । ଏମାନଙ୍କ ପାଖରେ ବଡ଼ବଡ଼ିଆ ନେତା ମନ୍ତ୍ରୀ ପହଂଚି ପାରୁ ନାହାନ୍ତି । ବିକାଶ ବି ପହଂଚିପାରୁନି । କିନ୍ତୁ ନିର୍ବାଚନୀ ଉଷ୍ମତା ରହିଛି । ଲୋକେ ସାମିଲ ହେଉଛନ୍ତି ପ୍ରଚାରରେ , ଭୋଟ ବି ଦେବେ । ହେଲେ ବିକାଶ ସିଢିର ଶେଷ ପାହାଚରେ ଥିବା ମଣିଷଟି ପାଖରେ କେବେ ମୌଳିକ ସୁବିଧା ପହଂଚିବ ତାହା ଏବେ କୋଟିଏ ଟଙ୍କାର ପ୍ରଶ୍ନ ।