ଏନେଇ ଆମେ ବହୁତ କଷ୍ଟରେ ଚଳୁଛୁ ଆଜ୍ଞା । ଦିନକୁ ଦୁଇ ମୁଠା ଗଣ୍ଡେ ଖାଇବାକୁ ମିଳୁନି। ଦୁଇଟି ଛୋଟ ଛୋଟ ଝିଅ ପିଲା। ଅର୍ଥଅଭାବରୁ ପିଲାଙ୍କୁ ପଢ଼ାଇବା ସମ୍ଭବ ହେଉନାହିଁ । ବଡ଼ ଝିଅକୁ ସେଥିପାଇଁ ମାଉସୀ ଘରେ ଛାଡିଛି । ଏମିତି କହୁଛନ୍ତି ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ମକୁନ୍ଦଦାସପୁର ଗାଁର ସସ୍ମିତା ଭୋଇ। ୨୦୨୦ ମସିହାରେ ସସ୍ମିତାଙ୍କ ସ୍ୱାମୀ ହରିଆ ଭୋଇ ପାଖ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସି ପାଣିରେ ବୁଡିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଡାକ୍ତରଖାନା ଯାଇପାରିନଥିବାରୁ କୌଣସି ପ୍ରମାଣପତ୍ର ମଧ୍ୟ ମିଳିଲା ନାହିଁ । ତେଣୁ ପାଣିରେ ବୁଡି ମୃତ୍ୟୁ ସମ୍ପର୍କିତ କୌଣସି ପ୍ରମାଣପତ୍ର ମୃତକଙ୍କ ପରିବାରକୁ ମିଳିପାରିଲା ନାହିଁ। ନିୟମ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତରଫରୁ ୪ ଲକ୍ଷ ଟଙ୍କା ମିଳିବା କଥା କିନ୍ତୁ ପ୍ରମାଣ ପତ୍ର ଅଭାଵରୁ ଏଥିରୁ ବଞ୍ଚିତ ହେଉଛନ୍ତି ସସ୍ମିତା ଭୋଇ ଓ ତାଙ୍କ ପରିବାର । ସବୁ ଆଡେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ତେଣୁ ମାନବ ଅଧିକାର କମିଶନ ମାନବିକତା ଦୃଷ୍ଟିରୁ ୫୦ ହଜାର ଟଙ୍କା ଦେବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେମାନେ ବହୁତ ଦୁଃଖ କଷ୍ଟରେ ଚଳୁଛନ୍ତି । ଖାଇବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ବେଳାଏ ଚୁଲି ଜଳିଲେ ଆଉ ଦୁଇ ବେଳା ଉପାସ । କେବେ କେବେ ପୁରା ଦିନ ଉପାସ ରହୁଛନ୍ତି । ଗୋଟିଏ ରୋଜଗାରିଆ ପୁଅ ଗଲା ପରେ ପୁରା ବେସାହାରା ହୋଇ ପଡିଛନ୍ତି ପୁରା ପରିବାର। ନିଜ ଦୁଃଖ ଶୁଣେଇ ବା ପାଇଁ ପ୍ରଶାସନ ପାଖକୁ ବାରମ୍ବାର ଦୌଡୁଛନ୍ତି। କିନ୍ତୁ କେବଳ ପ୍ରତିଶ୍ରୁତି ମିଳୁଛି । ଆଉ ପ୍ରମାଣ ପତ୍ର ମାଗୁଛନ୍ତି । ମାନବ ଅଧିକାର କମିଶନରଙ୍କ ପ୍ରତିଶ୍ରୁତି ପରେ ସସ୍ମିତାଙ୍କ ଦୁଃଖ କିଛି ମାତ୍ରାରେ ଲାଘବ ହୋଇପାରିବ ବୋଲି ତାଙ୍କ ପଡ଼ୋଶୀ ସରକାରଙ୍କୁ ନିବେଦନ କରିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।