ଅର୍ଗସ ବ୍ୟୁରୋ : ଆଧୁନିକତା ଛାପରେ ସମାଜରେ ହଜିବାକୁ ବସିଲାଣି ସ୍ନେହ ଶ୍ରଦ୍ଧା ଆଉ ଦାୟିତ୍ବ ବୋଧତା । ଛୋଟ ବେଳେ ପାଳି ପୋଷି ଦୁନିଆ ଦେଖାଇଥିବା ଅନେକ ବାପା, ମା ଆଜି ଅବହେଳିତ । କିଏ ନିଜ ଜନ୍ମ ଦାତାଙ୍କୁ ହତାଦର କରୁଛି ତ ଆଉ କିଏ ଚଳନ୍ତି ଭଗବାନଙ୍କୁ ଜରାଶ୍ରମକୁ ଦେଖାଇଦେଉଛି ପଥ । ଏଭଳି ସ୍ଥିତିରେ ଅସହାୟ, ବେସାହାରା ବୃଦ୍ଧ, ବୃଦ୍ଧାଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ଯୁବ ସମାଜସେବୀ ରୋଶନୀ ପାତ୍ର । ଛୋଟ ବୟସରୁ ମାନବ ସେବାକୁ ଜୀବନର ବ୍ରତ କରିଥିବା ରୋଶନୀଙ୍କ ଇଛା ଥିଲା ନିଜ ପକେଟ ମନିରେ ବେସାହାରା ଲୋକଙ୍କ ନିମନ୍ତେ ତିଆରି କରିବେ ଜରାଶ୍ରମ । ତାଙ୍କ ସ୍ଵପ୍ନ ଆଜି ପୂରଣ ହୋଇଥିବା ବେଳେ କେଏସଆର ଟ୍ରଷ୍ଟ ପକ୍ଷରୁ ରାଜଧାନୀର ତାଣ୍ଡିବନ୍ତ ଅଞ୍ଚଳରେ ଖୋଲାଯାଇଛି ନୂଆ ବୃଦ୍ଧାଶ୍ରମ DDP HAPPY HOME । ୧୦ ଜଣ ବୃଦ୍ଧ, ବୃଦ୍ଧାଙ୍କୁ ଏଠାରେ ରହୁଥିବା ବେଳେ ପିଲାଙ୍କ ମା' ଭଳି ରୋଶନୀ ବୁଝୁଛନ୍ତି ଏମାନଙ୍କ ଅଳି ଅର୍ଦ୍ଦଳି ଆଉ ଦୁଃଖ ସୁଖ ।
ଏମବିଏରେ ଡିଗ୍ରୀ ହାସଲ କରିଥିବା ରୋଶନୀ ପାତ୍ର ଅନ୍ୟ ମାନଙ୍କ ପରି ଚାକିରୀ ପଛରେ ନଗୋଡାଇ ସମାଜ ସେବାକୁ ଦେଇଛନ୍ତି ପ୍ରାଧାନ୍ୟ । ସମାଜରେ ଅନାଥ ଆଉ ଅବହେଳିତ ମାନଙ୍କୁ ସେବା କରିବାକୁ ମାନି ନେଇଛନ୍ତି ନିଜର ଜୀବନର ପରମ ଧର୍ମ । ଖାଲି ରାଜଧାନୀ ଭୁବନେଶ୍ବର ନୁହେଁ ମୟୂରଭଞ୍ଜ ବାରିପଦାରେ ମଧ୍ୟ କେଏସଆର ପକ୍ଷରୁ ଏକ ଜରାଶ୍ରମ ଖୋଲାଯାଇଥିବା ବେଳେ ସେଠାରେ ରହୁଛନ୍ତି ୨୨ଜଣ ବୃଦ୍ଧ, ବୃଦ୍ଧା । ଆଗକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଜରାଶ୍ରମ ଖୋଲି ବେସାହାରା ଲୋକଙ୍କୁ ସାହାରା ଦେବାକୁ ରହିଛି ରୋଶନୀଙ୍କ ଲକ୍ଷ୍ୟ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।