ତେବେ ପୋଲିସ ସେଠାରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ କହିବାରୁ ମୃତଦେହ ନେବା ପାଇଁ ଗାଡି ସହ ଯୋଗାଯୋଗ କରିଥିଲେ । କିନ୍ତୁ ମିଳିଲାନି ଗାଡି । ପରେ ପରିବାର ଲୋକ ବାଧ୍ୟ ହୋଇ ବାଇକ ଯୋଗେ ଶବକୁ ଡାକ୍ତରଖାନାକୁ ନେଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ଜଣେ ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମୃତକ ହେଲେ ରଥପୁର ମେହେରପଡାର କାର୍ତ୍ତିକ ମେହେର । ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ବର ଓ ମୁଣ୍ଡବ୍ୟଥା ହେବାରୁ ସେ ଏକ ଘରୋଇ କ୍ଲିନିକରେ ଦେଖାଇଥିଲେ । ସେଠାରେ ଚିକିତ୍ସା କରୁଥିବା ବଙ୍ଗାଳି ଡାକ୍ତର କିଛି ଔଷଧ ଖାଇବାକୁ ଦେଇଥିଲେ । ପରେ ଘରକୁ ଯାଇ ଗୁରୁତର ହେବାରୁ ସେ ପୁଣି ସେଠାକୁ ଆସିଥିଲେ । ତେବେ ଡାକ୍ତର ଜଣକ ସେଠାରେ ଏକ ଇଞ୍ଜେକସନ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ କହିଥିଲେ । ପରିବାର ଲୋକ କାର୍ତ୍ତିକଙ୍କୁ ସୁବର୍ଣ୍ଣପୁର ଓ ପରେ ବୁର୍ଲା ବଡ ମେଡିକାଲକୁ ନେଇଥିଲେ । ଶେଷରେ ଗତ ରାତିରେ ବୁର୍ଲାରେ ତାଙ୍କ ମୃତ୍ୟୁ ହୋଇଥିଲା ।
ପରିବାର ଲୋକ ବୁର୍ଲାରୁ ଶବକୁ ଆଣି ସଂପୃକ୍ତ ଡାକ୍ତରଙ୍କ ଘର ଆଗରେ ରଖି ପ୍ରତିବାଦ କରିଥିଲେ । ବେଆଇନଭାବେ ଚାଲିଥିବା କ୍ଲିନିକର ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତେବେ ଡାକ୍ତର ଜଣକ ଫେରାର ମାରିଥିବା ସୂଚନା ରହିଛି ।