ବଲାଙ୍ଗିର: ବଳି ପାଇଁ ବଳିପଡ଼ିଲେ ନାବାଳିକା ! ଗତ 24 ତାରିଖରେ ଜଣେ 12 ବର୍ଷୀୟା ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ନାବାଳିକାଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି ।
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସାଲେବରଟ ଗାଁର ନାବାଳିକା ଜନନୀ ରଣା ଗତ 24 ତାରିଖରୁ ନିଖୋଜ ଥିଲେ । ଗତ 27 ତାରିଖରେ ପରିବାର ଲୋକେ ଜନନୀ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଗ୍ରାମବାସୀ ଥାନା ମଧ୍ୟ ଘେରାଉ କରିଥିଲେ ।
ଗାଁ ଲୋକଙ୍କ କହିବା ଅନୁଯାୟୀ, ନାବାଳିକାଙ୍କ ମାମୁ ପୁଅ ଶୋଭାବନ ରଣା ବଳି ପାଇଁ ଜନନୀକୁ ହତ୍ୟା କରିଥିଲା । ଜନନୀଙ୍କୁ ଘରେ ଛାଡ଼ିଦେବାକୁ କହି ବାଟରେ ତାକୁ ଶୋଭାବନ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ଅମାବାସ୍ୟାରୁ ଜନନୀ ନିଖୋଜ ଥିବାରୁ ଗାଁ ଲୋକେ ସନ୍ଦେହ କରିଥିବା ଜଣାପଡ଼ିଛି ।
ପରେ ପୋଲିସ ଶୋଭାବନକୁ ଅଟକ ରଖି ଘଟଣାର ତଦନ୍ତ କରୁଥିଲା । ତେବେ ଆଜି ଜନନୀଙ୍କ ମୃତଦେହ ଏକ ଜଙ୍ଗଲରୁ ମିଳିବା ପରେ ପୋଲିସ ପାଇଁ ଅଡ଼ୁଆ ଆହୁରି ବଢ଼ିଛି । ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ମେଡିକାଲକୁ ପଠାଇଛି ପୋଲିସ ।

