ହେଲେ ଏଠି କିଛି ଭିନ୍ନ ହୋଇଛି । ଶ୍ମଶାନରୁ ଶ୍ମଶାନ ବୁଲିଛି ଶବ । ମୃତ୍ୟୁ ପରେ ମଶାଣିରେ ଜାଗା ମିଳିଲାନି । ଶେଷ ସମ୍ମାନ ପାଇଁ ଏ ମଶାଣିରୁ ସେ ମଶାଣି ବୁଲିଲା ଶବ । ଶେଷରେ ମଶାଣି ଛାଡି ଅନ୍ୟ ଏକ ସ୍ଥାନରେ ଜେସିବି ସାହାଯ୍ୟରେ ଖୋଳି ପୋତି ଦିଆଗଲା । ନବରଙ୍ଗପୁର ଉମରକୋଟ ବ୍ଲକ ବେହେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ।
କାରଣ ଜାଣିଲେ ଆପଣ ତାଜୁବ ହେବେ । ଗ୍ରାମର ମୃତ ଡମୁ ସାନ୍ତାଙ୍କୁ ଧର୍ମାନ୍ତରୀକରଣ କରିବା ମହଙ୍ଗା ପଡିଛି । ତାଙ୍କର ପକ୍ଷାଘାତରେ ମୃତ୍ୟୁ ଘଟିବା ପରେ ତାଙ୍କ ଶବ ସତ୍କାର କରିବା ପାଇଁ ଗାଁ ଲୋକ ମଶାଣି ଦେଲେ ନାହିଁ । ଅନ୍ୟପକ୍ଷରେ ଡ଼ମୁ ସାନ୍ତା ପୁଅ କହିଛନ୍ତି ଯେ ଆମେ ଥରେ ଧର୍ମପରିବର୍ତ୍ତନ କରିଛୁ ମାନେ ମୂଳ ଧର୍ମକୁ ଫେରିବୁ ନାହିଁ । ଆମକୁ ପ୍ରଶାସନ ଯୋଉଠି ସ୍ଥାନ ଦେବେ ସେଇଠି ସତ୍କାର କରିବୁ ।
ପରେ ରାତିରେ ଉମରକୋଟ SDPO ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ବି କୌଣସି ନିଷ୍କର୍ଷ ବାହାରି ନଥିଲା । ଶେଷରେ ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ସିଉନା ଗୁଡ଼ା ଗ୍ରାମ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ମୂର୍ତ୍ତୁମା ଛକ ନିକଟରେ ଏକ ମୋରମ ଖଦାନରେ ପୋଲିସ ଓ ପ୍ରଶାସନର ଉପସ୍ଥିତିରେ JCB ସାହାଯ୍ୟରେ ଗାତ ଖୋଳି ଶବକୁ ପୋତି ଦିଆଯାଇଛି ।
ଏହାପରେ ଦେଖାଗଲା ଆଉ ଏକ ବିବାଦ । ଯେଉଁ ସ୍ଥାନରେ ପ୍ରଶାସନ ଶବ ସତ୍କାର କଲା ସେହି ବାଟ ଦେଇ ମୂର୍ତ୍ତୁମା, ଖଡକା, ଚିକଲପଦର୍ ଭଳି ଗ୍ରାମବାସୀ ଯା ଆସ କରୁଥିବାରୁ ଏହି ଶବ ପୋତାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପ୍ରତିବାଦରେ ଶତାଧିକ ଗ୍ରାମବସୀ ଉମରକୋଟ ଓ ଛତିଶଗଡ କୁ ସଂଯୋଗ କରୁଥିବା ରାସ୍ତାର ମୂର୍ତ୍ତୁମା ଛକ ନିକଟରେ ରାତି ସାରା ଅବରୋଧ କରି ରଖିଛନ୍ତି ।
ପୋତା ଯାଇଥିବା ଶବ କୁ ସେଠାରୁ ବାହାର କରି ଅନ୍ୟ ସ୍ଥାନ ରେ ସତ୍କାର କରିବାକୁ ଜିଦ୍ ଧରି ବସିଛନ୍ତି ମୁର୍ତୁମା ଗ୍ରାମବାସୀ । ଫଳରେ ରାତି ସାରା ପୋଲିସ୍ ଓ ପ୍ରଶାସନ କୁ ନାକେଦମ୍ ହେବାକୁ ପଡ଼ିଛି । ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଆସି ରାସ୍ତା ଅବରୋଧକାରଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବାରମ୍ବାର ଏପରି ଘଟଣା ଘଟୁଥିଲେ ବି ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ଥାୟୀ ସମାଧାନ ହେଉ ନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆହୁରି ପଢନ୍ତୁ ଓଡିଶା ଖବର...