ଆଉ ଡାକିବାକୁ ଆ’ କାର ନଥାଏ କି ଶୁଣିବାକୁ ଓ’କାର ନ ଥାଏ ବୋଲି ପୁଅମାନେ ଏମିତି ଖାଲି ବଲବଲ ହୋଇ ଅନାନ୍ତି । ଚିହ୍ନି ପାରୁଛନ୍ତି ଏ ପରିବାରକୁ । ନୂଆପଡ଼ାର ଜଗଦୀଶ ମ, ଯିଏ ତହସିଲ ଅଫିସ ଆଗରେ ଜୀବନ ହାରିଥିଲେ । ତାଙ୍କରି ପରିବାରର ସଦସ୍ୟ,ଜ୍ଞାତିକୁଟୁମ୍ବ ଏମାନେ । ଜଗଦୀଶଙ୍କ ମରଣୋପରାନ୍ତେ କଲ୍ୟାଣପୁର ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଛି । ଜଗଦୀଶ ଆତ୍ମହତ୍ୟା ନୁହେଁ, ବରଂ ତହସିଲଦାର ତାଙ୍କୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବୁଢ଼ୀ ମାଆ, ଦୁଇ ପୁଅ ଓ ସ୍ତ୍ରୀ । ଏତିକିଙ୍କୁ ନେଇ ହିଁ ଥିଲା ଜଗଦୀଶଙ୍କ ସଂସାର । ଋଣଭାର ପରିଶୋଧ ପାଇଁ ନିଜ ଜମି ବିକ୍ରି କରିବାକୁ ଚାହୁଁଥିଲେ । ତେବେ ପରିମିଶନ ପାଇଁ ତହସିଲ ଅଫିସକୁ ନୟାନ୍ତ ହେବା ପରେ ନିଜକୁ ଶେଷ କରିଦେଇଥିଲେ । ଘଟଣାରେ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଛି ତଥାପି ତାଙ୍କୁ ଗିରଫ କରିବାକୁ ଦାବି ଜୋର ହୋଇଛି । ସେପଟେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ବିଭୁ ତରାଇଙ୍କ ନେତୃତ୍ବରେ ଏକ ପ୍ରତିନିଧି ଟିମ୍ ଜଗଦୀଶଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ସ୍ବଚ୍ଛ ଶାସନ ବ୍ୟବସ୍ଥାରେ ଏଭଳି ଘଟଣା ଭାତ ହାଣ୍ଡିରୁ ଚାଉଳଟିଏ ବୋଲି କହିଛନ୍ତି ।
ଜଗଦୀଶଙ୍କ ମୃତ୍ୟୁକୁ ତିନି ଦିନ ବିତିଲାଣି ହେଲେ ଏଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନି ଜିଲ୍ଲା ପ୍ରଶାସନ । କେବଳ ତହସିଲଦାରଙ୍କୁ ନିଲମ୍ବିତ କରି କାମ ସାରି ଦେଇଛି । ହେଲେ ଏତିକିରେ କଣ ଜଗଦୀଶଙ୍କୁ ନ୍ୟାୟ ମିଳିଯିବ ? ତାଙ୍କ ପରିବାରର ଦୁଃଖ କିଏ ଯେ ବୁଝିବ ଏବେ ତାହା ହିଁ ବଡ଼ ପ୍ରଶ୍ନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: