ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀ କଟକ ଜିଲ୍ଲା ମାହାଙ୍ଗାରେ। କିନ୍ତୁ ପ୍ରାଥମିକ ସ୍କୁଲ ପିଲାଙ୍କ ସମସ୍ୟା ନ କହିବା ଭଲ। ଘର ଠାରୁ ପାଖାପାଖି ୨ କିଲୋମିଟରକୁ ସ୍କୁଲକୁ ଶିକ୍ଷା ବିଭାଗ ମିଶ୍ରଣ କରିଥିବାରୁ କୁନି କୁନି ଛାତ୍ରଛାତ୍ରୀମାନଙ୍କର କଷ୍ଟ ଏବେ ବାପ-ମା'ଙ୍କୁ ଗ୍ରାସିଲାଣି।
ସରକାରୀ କାଇଦା କାନୁନ ଭିତରେ ୭୫ ବର୍ଷ ତଳର ଏକ ପୁରୁଣା ପ୍ରାଇମେରୀ ସ୍କୁଲକୁ ହଠାତ ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ପରେ ସମ୍ପୃକ୍ତ ଅଞ୍ଚଳରେ କୁହୁଳୁଥିଲା ଜନ ଅସନ୍ତୋଷ। ଯାହା ଏବେ ଅଞ୍ଚଳବାସୀଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ କଲାଣି ବୋଲି କହିଛନ୍ତି ଅଭିଭାବକ।
ନିଜ ନିଜ ପିଲାମାନେ ନିଜ ଗାଁ ଠାରୁ ୨ ତିନି କିଲୋମିଟର ଦୂରରେ ଥିବା ଅନ୍ୟ ଏକ ସ୍କୁଲକୁ ପାଠ ପଢିବାକୁ ଯାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଘଟଣା ସାରା ଗାଁରେ ଅସନ୍ତୋଷ ସୃଷ୍ଟି କରିବାରୁ ଏବେ ଭୋଟ ବର୍ଜ୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ସମସ୍ତ ଗ୍ରାମବାସୀ ।
ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି ମାହାଙ୍ଗାର ବାଜପୁରା ପଞ୍ଚାୟତରେ। ଏଠାରେ ବନ୍ଦ ହୋଇ ଯାଇଥିବା ଏକ ପୁରୁଣା ସ୍କୁଲକୁ ପୁନର୍ବାର ଖୋଲିବା ପାଇଁ ଦାବି ଯୋର ଧରିଛି। ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅଭିଭାବକ ଓ ଗ୍ରାମବାସୀ ମାନେ ଏକଜୁଟ ହୋଇ ଦୃଢ଼ ପ୍ରତିବାଦ କରିଛନ୍ତି। ଛୋଟ ଛୋଟ ପିଲାମାନେ ସେମାନଙ୍କ ପାଠ ପଢିବା ବୟସରେ ରାଜ ରାସ୍ତାରେ ପ୍ରତିବାଦ ସଭା କରିବା ଘଟଣାଟି ଆଜି ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଗୁମର ଖୋଲି ଦେଇଛି। ଏହି ବିଦ୍ୟାଳୟ ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିଲା ବେଳେ ୨୦୨୧ ମସିହାରେ ସରକାର କମ ପିଲା ଦେଖାଇ ବିଦ୍ୟାଳୟଟିକୁ ବନ୍ଦ କରିଦେଲେ।
କିଲୋମିଟର ରୁ ଉର୍ଦ୍ଧରେ ଥିବା କୂଳଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ରେ ଏହି ବିଦ୍ୟାଳୟ କୁ ମିଶେଇ ଦେବା ଫଳରେ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା ପାଇଁ ବଡ଼ କଷ୍ଟ ପାଉଛନ୍ତି। ଏନେଇ ବାରମ୍ବାର ସ୍ଥାନୀୟ ବିଧାୟକ ଓ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କେହି ଶୁଣିନଥିବା କହିଥିଲେ ଗ୍ରାମବାସୀ। ଆଜି ଗ୍ରାମର ସବୁ ପିଲା ଓ ଗ୍ରାମର ମହିଳା ପୁରୁଷ ଏକ ଜୁଟ ହୋଇ ଦାବି କରିଥିଲେ ବିଦ୍ୟାଳୟକୁ ପୁନର୍ବାର ଖୋଲାଯାଉ। ଯଦି ଆଗାମୀ ଦିନରେ ବିଦ୍ୟାଳୟ ଖୋଲା ନ ଯାଏ ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର