ଏହି ଅଧିନିୟମ ଅନୁଯାୟୀ ପଶ୍ଚିମ ଓଡିଶା ଅନ୍ତର୍ଗତ ବରଗଡ, ଝାରସୁଗୁଡା,ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ଓ ବୈାଦ୍ଧ ଜିଲ୍ଲା ସହିତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡକୁ “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ” ଅଂଚଳରେ ଅନ୍ତର୍ଭୁକ୍ତ କରାଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦରେ ୬ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀର ୩୬ ଗୋଟି ବିଧାନସଭା ଆସନର ୧୧ଗୋଟି ଜିଲ୍ଲା ପରିଷଦ ସହ ୮୯ଟି ପଂଚାୟତ ସମିତି ଓ ୨୮ ଗୋଟି ପୌରପରିଷଦ / ବିଜ୍ଞପିତ ପରିଷଦ ସହ ୨ଟି ମ୍ୟୁନିସିପାଲ କର୍ପୋରେସନ ଅବସ୍ଥିତ । ମାନ୍ୟବର ଘଡେଇ କମିଟିର ୧୯୯୧ ମସିହାର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦରେ ଗ୍ରାମାଂଚଳରେ ଥିବା ପଂଚାୟତ ସମିତିଗୁଡିକୁ ବର୍ଗୀକରଣ କରାଯାଇ ୩୪ଟି ଅତ୍ୟନ୍ତ ଅନୁନ୍ନତ ବ୍ଲକ, ୨୫ଟି ଅନୁନ୍ନତ ବ୍ଲକ, ୨୫ଟି ବିକାଶଶୀଳ ବ୍ଲକ ଏବଂ ୫ଟି ବିକଶିତ ବ୍ଲକ ଭାବେ ଚିହ୍ନଟ କରାଯାଇଥିଲା । ଦୀର୍ଘ ୨୩ବର୍ଷ ହେଲା, ପଶ୍ଚିମ ଓଡିଶା ବିକାଶ ପରିଷଦ, ପ୍ରତିଷ୍ଠା ହେବା ଦିନଠାରୁ ନିଜର ଲକ୍ଷ୍ୟ ପୂରଣ ଯଥା ପରିଷଦ ଅଂଚଳରେ ବିକାଶର ଧାରାରେ ଆଂଚଳିକ ତାରତମ୍ୟ ହ୍ରାସ କରିବା ପରିବର୍ତେ ସମ୍ପୂର୍ଣ୍ଣ ବିଫଳ ହୋଇ ଏକ ସ୍ଥାଣୁ ସଂସ୍ଥାରେ ପରିଣତ ହୋଇଅଛି । ପରିଷଦର ସ୍ଥାଣୁତା ଓ କାର୍ଯ୍ୟଦକ୍ଷତାର ସମୀକ୍ଷା କରି କେନ୍ଦ୍ର ସରକାରଙ୍କ ନିରପେକ୍ଷ ସଂସ୍ଥା ସିଏଜି କ୍ଷୋଭପ୍ରକାଶ କରିଛନ୍ତି ।
ତେଣୁ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସର୍ବାଙ୍ଗିନ ବିକାଶ କରି ଆଂଚଳିକ ବୈଷମ୍ୟ ହ୍ରାସ କରିବା ପାଇଁ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି ସ୍ଥାଣୁ ଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ଗଣତାନ୍ତ୍ରିକ ପଦ୍ଧତିରେ ଢ଼ାଂଚାଗତ ପରିବର୍ତନ କରି ଏହାକୁ ଏକ ସଂପୂର୍ଣ୍ଣ ସ୍ୱୟଂ ଶାସିତ ସ୍ଥାୟୀ ବିକାଶ ପରିଷଦ ଭାବରେ ଗଠନ କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡାଯାଇଛି ।
ପଶ୍ଚିମ ଓଡିଶାର ସମସ୍ତ ବିଧାୟକ, ଜନ ପ୍ରତିନିଧି, ଦଳୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ରାଜଭବନ ସମ୍ମୁଖରେ ବି÷କ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ କରିଥିଲେ । ଆଜିର ଏହି ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜୟନାରାୟାଣ ମିଶ୍ର, ବିଧାୟକ ନାଉରୀ ନାଏକ, ଡ.ମୁକେଶ ମହାଲିଙ୍ଗ, ସୁବାଷ ପାଣିଗ୍ରାହୀ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଶଂକର ଓରାମ, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଓ ସୀମାଂଚଳ ଖଟେଇ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ରଂଜନ ପଟେଲ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ପଟ୍ଟନାୟକ, ନୂଆପଡା ଜିଲ୍ଲା ସଭାପତି ସୁବ୍ରତ ଠାକୁର, କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ବୈାଦ୍ଧ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ପାନପୋଷ (ରାଉରକେଲା) ଜିଲ୍ଲା ସଭାନେତ୍ରୀ ଲତିକା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ବିଭିନ୍ନ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ପଶ୍ଚିମ ଓଡିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରୁ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।