
ପୁରୀ: ଏବେ ଭଙ୍ଗା ହେବନି ମଠ, ସୌନ୍ଦର୍ୟ୍ୟୀକରଣରେ ବ୍ୟସ୍ତ ପ୍ରଶାସନ । ସେପଟେ ଖାଲି ହେଲା ମଙ୍ଗୁ ମଠ ଦୋକାନ ଘର । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କ୍ରମରେ ଲଙ୍ଗୁଳି ମଠ, ଏମାର ମଠ ଓ ବଡ଼ଆଖଡ଼ା ମଠ ଭଙ୍ଗାଯିବା ପରେ ଏବେ ଜିଲ୍ଲା ପ୍ରଶାସନ ସୌନ୍ଦର୍ଯୀକରଣକୁ ଗୁରୁତ୍ୱ ଦେଇଛି । ମଠ କୋଠାର ଭଗ୍ନାବଶେଷକୁ ଅନ୍ୟତ୍ର ସ୍ଥାନାନ୍ତର ପରେ ବର୍ତ୍ତମାନ ଟାଇଲ୍ ବିଛାଠାରୁ ଆରମ୍ଭ କରି ଆଲୋକୀକରଣକୁ ଗୁରୁତ୍ୱ ଦେଇଛି । ଏହି ଦୃଷ୍ଟିରୁ କିଛି ଦିନ ପାଇଁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି ।
ଅନ୍ୟପଟେ ସୌନ୍ଦର୍ଯୀକରଣ କାମ ଶେଷ ପରେ ପ୍ରଶାସନ ମଙ୍ଗୁ ମଠ ଓ ସାନଛତା ମଠକୁ ଭାଙ୍ଗିବାକୁ ସ୍ଥିର କରିଛି । ଏଥିପାଇଁ ଆଜିଠାରୁ ମଙ୍ଗୁ ମଠ ଓ ସାନଛତା ମଠ କୋଠାରେ ଥିବା ଦୋକାନୀମାନେ ନିଜ ନିଜ ଆସବାବପତ୍ର ଖାଲି କରିବା ଆରମ୍ଭ କରିଛନ୍ତି ।
