ସକାଳ ସାଢ଼େ ୮ଟା ସୁଦ୍ଧା ରାସ୍ତା ଦେଖାଯାଉନଥିଲା। ଘନ କୁହୁଡିର ଆସ୍ତରଣ ଯେମିତି ମାଡି ଯାଇଥିଲା। ଓଡ଼ିଶାକୁ ପଶ୍ଚିମା ଝଡର ଆଗମନରେ ବଙ୍ଗୋପସାଗରରୁ ପ୍ରଚୁର ମାତ୍ରାରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବାହିତ ହୋଇଥାଏ। ଆଉ ଏହାର ପ୍ରଭାବରେ ଦେଖା ଦେଇଛି ବାୟୁମଣ୍ଡଳରେ ସ୍ଥିରତା ଓ କୁହୁଡି। ଏହି ସ୍ଥିରତା ଅଧିକା ସମୟ ବଜାୟ ରହିବା ହେତୁ କୁହୁଡିର ଘନତ୍ୱ ବୃଦ୍ଧି ପାଇଥିଲା।
ସ୍ଥିତି ଏମିତି ହେଲା ଯେ, ଅନୁଗୁଳରେ ସର୍ବନିମ୍ନ ଦୃଶ୍ୟମାନ ୨୦ ମିଟରକୁ ଖସିଯାଇଥିଲା। ଢେଙ୍କାନାଳ, ମୟୁରଭଞ୍ଜରୁ ନେଇ କେନ୍ଦୁଝର ଯାଏ ବି ସମାନ ସ୍ଥିତି। ଆଉ ରାଜଧାନୀରେ ତ ଘନ କୁହୁଡି ସମ୍ପୂର୍ଣ୍ଣ ଅପସାରଣ ହେଲା ପ୍ରାୟ ୯ଟା ପରେ। ରାସ୍ତାରେ କୁହୁଡିର ଆସ୍ତରଣ ଲାଗି ସହଜରେ କିଛି ଦୃଶ୍ୟମାନ ହେଉନଥିଲା।
ସେପଟେ କୁହୁଡିର ପ୍ରଭାବ ବିମାନବନ୍ଦର ଉପରେ ବିଶେଷ ଭାବେ ଦେଖିବାକୁ ମିଳିଥିଲା। ଏଠାରେ ଘନ କୁହୁଡିର ସର୍ବନିମ୍ନ ଦୃଶ୍ୟମାନ ଶହେ ମିଟର ତଳକୁ ଖସିଯାଇଥିଲା। ୩ ଘଣ୍ଟା ବିଳମ୍ୱରେ ଭୁବନେଶ୍ୱରରେ ପହଞ୍ଚିଥିଲା କୋଲକାତାରୁ ଆସିଥିବା ବିମାନ। ଦିଲ୍ଲୀରୁ ଆସୁଥିବା ଇଣ୍ଡିଗୋ ବିମାନ ଅବତରଣ କରି ନ ପାରି ରାୟପୁରକୁ ଡାଇଭର୍ଟ କରାଯାଇଥିଲା। ନିୟମ ଅନୁସାରେ କୁହୁଡି ୮ଶହ ମିଟର ଉପରେ ରହିଲେ, ବିମାନ ଚଳାଚଳ ସ୍ୱାଭାବିକ ରହିଥାଏ। ପାଇଲଟ ଚାହିଁଲେ ୫୫୦ରୁ ୮ଶହ ମିଟର କୁହୁଡି ଭିତରେ ବିମାନ ଅବତରଣ କରିପାରିବେ।